Categories: ବାଣିଜ୍ୟ

ରେଲଓ୍ବେ ସେବା ମିଶ୍ରଣକୁ ଅଧିକାରୀଙ୍କ ବିରୋଧ

ନୂଆଦିଲ୍ଲୀ,୧୧-୧: ରେଲଓ୍ବେର ବିଭିନ୍ନ ସେବା ମିଶ୍ରଣ ନେଇ ସରକାର ନିକଟରେ ଘୋଷଣା କରିଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ରେଲଓ୍ବେର ଅଧିକାରୀ ଏବଂ କର୍ମଚାରୀମାନେ ବିରୋଧ ପ୍ରଦର୍ଶନ କରିଛନ୍ତି। ଏହି ବିରୋଧ ପ୍ରଦର୍ଶନରେ ୧୩ ରେଳ ଜୋନ ଏବଂ ୬୦ ଡିଭିଜନର ଅଧିକାରୀ ଏବଂ କର୍ମଚାରୀ ସାମିଲ ହୋଇଥିଲେ। ସରକାର ଏଭଳି ନିଷ୍ପତ୍ତି ଏକତରଫା ଭାବେ ନେଇଥିବା ବେଳେ ଏହା ରେଲଓ୍ବେର ପରିଚାଳନା ଦିଗରେ ଖରାପ ପ୍ରଭାବ ପକାଇବ ବୋଲି କର୍ମଚାରୀମାନେ ଦାବିରେ କହିଛନ୍ତି। ରେଳପଥର ୮ ସର୍ଭିସ କ୍ୟାଡରକୁ ଏକ ସାଙ୍ଗରେ ମିଶ୍ରଣ ନେଇ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ପ୍ରସ୍ତାବକୁ ମଞ୍ଜୁରୀ ପାଇଁ ରେଳ ବୋର୍ଡ ଅଧ୍ୟକ୍ଷ, ରେଳମନ୍ତ୍ରୀ, କ୍ୟାବିନେଟ ସଚିବ ଏବଂ ପ୍ରଧାନମନ୍ତ୍ରୀଙ୍କ ପାଖକୁ ପଠାଯାଇଛି। ଏହି ନିଷ୍ପତ୍ତି କର୍ମଚାରୀଙ୍କ ସହମତି କ୍ରମେ ନିଆଯାଇଛି ବୋଲି ରେଳପଥ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି କୁହାଯାଇଥିଲା। ଗତ ମାସ ୭ ଏବଂ ୮ ତାରିଖରେ ଏଥି ଲାଗି ଏକ ପରିବର୍ତ୍ତନ ସଂଗୋଷ୍ଠୀ ଆୟୋଜନ କରାଯାଇଥିବା କୁହାଯାଇଥିଲା। ଜେନେରାଲ ମ୍ୟାନେଜରଙ୍କ ରାୟକୁ ସମ୍ପୂର୍ଣ୍ଣ ଗ୍ରୁପର ରାୟ ବୋଲି ବିଚାର କରାଯାଇଛି ବୋଲି ଦାବି ହୋଇଛି। ଏଭଳି ନିଷ୍ପତ୍ତି ଅଗଣତାନ୍ତ୍ରିକ ବୋଲି ଅଧିକାରୀମାନେ କହିଛନ୍ତି। ସୂଚନାଯୋଗ୍ୟ ରେଳ ମନ୍ତ୍ରଣାଳୟ ମେକାନିକାଲ ଇଞ୍ଜିନିୟରିଂ, ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ, ଷ୍ଟୋର, ପର୍ସୋନେଲ, ଟ୍ରାଫିକ, ସିଭିଲ ଇଞ୍ଜିନିୟରିଂ ଭଳି ସର୍ଭିସ କ୍ୟାଡରକୁ ମିଶ୍ରଣ ନିଷ୍ପତ୍ତି ନେଇଛନ୍ତି। ଏହାବାଦ ମେଡିକାଲ ଏବଂ ରେଲଓ୍ବେ ପ୍ରୋଟେକସନ ଫୋର୍ସକୁ ସ୍ବତନ୍ତ୍ର ରଖାଯାଇଛି।

Share