ରେଳପଥରେ ସୁନା ସ୍ମଗ୍‌ଲିଂ : ୧୨.୯ କେଜି ସୁନା ଜବତ

ଭୁବନେଶ୍ୱର,୧୧ା୧୦(ବ୍ୟୁରୋ) : ଓଡ଼ିଶା ଦେଇ ଚାଲିଛି ସୁନା ସ୍ମଗ୍‌ଲିଂ। ବିମାନ ବନ୍ଦରରେ କଷ୍ଟମ ବିଭାଗର କଡ଼ା ଯାଞ୍ଚ ପରେ ଏବେ ସୁନା ମାଫିଆମାନେ ରେଳପଥକୁ ସୁରକ୍ଷିତ ମାଧ୍ୟମ କରିଦେଇଛନ୍ତି। ଗୁରୁବାର ମୁମ୍ବାଇରୁ ହାଓଡ଼ାକୁ ଯାଉଥିବା ଜ୍ଞାନେଶ୍ୱରୀ ଏକ୍ସପ୍ରେସ(ନଂ.୧୨୧୦୨)ରୁ ୧୨.୯ କେଜି ସୁନା ଧରାପଡ଼ିଛି। ସୁଟ୍‌କେସ୍‌ ଭିତରେ ୧୧୦ଖଣ୍ଡ ସୁନା ବିସ୍କୁଟ ଆକାରରେ ରଖାଯାଇ ଚାଲାଣ କରାଯାଉଥିଲା। ଝାରସୁଗୁଡା ଓ ରାଜଗାଙ୍ଗପୁର ଷ୍ଟେଶନ ମଧ୍ୟବର୍ତ୍ତୀ ସ୍ଥାନରେ କେନ୍ଦ୍ରୀୟ ଅବକାରୀ ବିଭାଗ, ରାଜସ୍ବ ଗୋଇନ୍ଦା ଓ ଆର୍‌ପିଏଫ୍‌ର ମିଳିତ ଟିମ୍‌ ଚଢାଉ କରି ଏହି ବଡ଼ ଧରଣର ସୁନା ଚୋରା ଚାଲାଣକୁ ଧରିଛି। ଜବତ ସୁନାର ମୂଲ୍ୟ ପାଖାପାଖି ୫ କୋଟି ଟଙ୍କା ହେବ ବୋଲି ରାଜସ୍ବ ଗୋଇନ୍ଦା ବିଭାଗ ପକ୍ଷରୁ କୁହାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ୨ଜଣ ଯାତ୍ରୀଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି। ପ୍ରାଥମିକ ତଦନ୍ତରୁ ଏମାନଙ୍କ ଘର ମୁମ୍ବାଇରେ ବୋଲି ଜଣାପଡିଛି। ତେବେ ସୁନା କେଉଁଠୁ ଆଣିଲେ ଓ କାହା ପାଖକୁ ନେଉଥିଲେ ସେ ସଂକ୍ରାନ୍ତରେ କିଛି ସ୍ପଷ୍ଟ ସୂଚନା ମିଳିନାହିଁ। ଜବତ ସୁନାର ମାନ ଯାଞ୍ଚ ସହ ଦୁଇ ଯାତ୍ରୀଙ୍କ ଅସଲ ପରିଚୟ ଓ ସୁନା ଚୋରାଚାଲାଣ ର଼୍ୟାକେଟ ଠାବ ପାଇଁ ଅଧିକ ଖୋଳତାଡ଼ ଚାଲିଥିବା ସୂଚନା ମିଳିଛି।
ମିଳିଥିବା ସୂଚନାନୁଯାୟୀ, ଏହି ଦୁଇ ଯାତ୍ରୀ ମୁମ୍ବାଇରୁ ହାଓଡା ଜ୍ଞାନେଶ୍ୱରୀ ଏକ୍ସପ୍ରେସ୍‌ରେ ଚଢିଥିଲେ। ଏକ ଏସି ବଗି ବୁକ୍‌ କରି ସେଥିରେ ଯାଉଥିଲେ। ସୁନା ବିସ୍କୁଟକୁ ଏକ ସୁଟ୍‌କେସ୍‌ ଭିତରେ ପୂରାଇ ନେଉଥିଲେ। ଏନେଇ କେନ୍ଦ୍ରୀୟ ଅବକାରୀ ବିଭାଗ ଓ ରାଜସ୍ବ ଗୋଇନ୍ଦା ବିଭାଗ ନିକଟରେ ଖବର ପହଞ୍ଚତ୍ଥିଲା। ଦୁଇ ବିଭାଗ ପକ୍ଷରୁ ରେଳ ସୁରକ୍ଷା ବଳ(ଆରପିଏଫ୍‌)କୁ ଅବଗତ କରାଯିବା ସହ ଚଢ଼ାଉ ପାଇଁ ଯୋଜନା ହୋଇଥିଲା। ୩ ବିଭାଗର ଅଧିକାରୀଙ୍କୁ ନେଇ ଗଠିତ ମିଳିତ ଟିମ୍‌ ରାଜଗାଙ୍ଗପୁର ଓ ଝାରସୁଗୁଡା ଷ୍ଟେଶନ ମଝିରେ ଉକ୍ତ ଟ୍ରେନରେ ଚଢି ଯାଞ୍ଚ ଆରମ୍ଭ କରିଥିଲେ। ଦୁଇ ଯାତ୍ରୀଙ୍କ ଉପରେ ସନ୍ଦେହ ହେବାରୁ ସେମାନଙ୍କୁ କଡ଼ାକଡ଼ି ଯାଞ୍ଚ କରାଯିବା ପରେ ଏକ ସୁଟ୍‌କେସ୍‌ରୁ ବିପୁଳ ସୁନା ମିଳିଥିଲା। ଧରାପଡ଼ିଥିବା ଉକ୍ତ ଦୁଇ ଯାତ୍ରୀ କେବଳ ସୁନା ଚାଲାଣକାରୀ ବୋଲି ଜଣାପଡିଛି। ଏମାନେ ବିମାନ ଯୋଗେ ମୁମ୍ବାଇରେ ଓହ୍ଲାଇବା ପରେ ଟ୍ରେନ୍‌ ଯୋଗେ ଅନ୍ୟ ରାଜ୍ୟକୁ ଚାଲାଣ କରୁଥିବା ସନ୍ଦେହ କରାଯାଉଛି। ଏହି ସୁନା ସ୍ମଗ୍‌ଲିଂ ପଛରେ ମାଷ୍ଟର କିଏ ତାହା ଜଣାପଡିନାହିଁ। ମାଷ୍ଟରମାଇଣ୍ଡ ଦେଶ ବାହାରର ହୋଇଥିବା ମିଳିତ ଟିମ୍‌ ଅନୁମାନ କରୁଛି।

Share