ରେଳପଥ ଆନ୍ଦୋଳନର କର୍ଣ୍ଣଧାର: ପୂର୍ବତନ ଏମ୍‌ପି ଶିବାଜୀ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧନା

ନୟାଗଡ଼ ଅଫିସ,୨୩।୧୧: ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ଆନ୍ଦୋଳନର ଅନ୍ୟତମ କର୍ଣ୍ଣଧାର ତଥା ପୂର୍ବତନ ଏମ୍‌ପି ଶିବାଜୀ ପଟ୍ଟନାୟକଙ୍କୁ ଶୁକ୍ରବାର ନୟାଗଡ଼ ରେଳ ଷ୍ଟେଶନଠାରେ ସ୍ବାଗତ କରାଯାଇଛି। ରେଲୱେ ଆନ୍ଦୋଳନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପୂର୍ବତନ ଏମ୍‌ପି ଶିବାଜୀଙ୍କୁ ସ୍ବାଗତ କରାଯାଇ ସମ୍ବର୍ଦ୍ଧନା ଦିଆଯାଇଥିଲା। ଶିବାଜୀ ପଟ୍ଟନାୟକ ଟ୍ରେନ୍‌ ଯୋଗେ ଖୋର୍ଦ୍ଧା ରୋଡ଼ ଟାଉନଠାରୁ ପାସେଞ୍ଜରରେ ଆସି ସକାଳ ୯ଟା ୩୦ରେ ନୟାଗଡ଼ ଷ୍ଟେଶନଠାରେ ପହଞ୍ଚତ୍ଥିଲେ। ପୂର୍ବରୁ ବାଟରେ ଖୋର୍ଦ୍ଧା ଟାଉନ ଷ୍ଟେଶନ ଓ ରାଜସୁନାଖଳା ଷ୍ଟେଶନ ଠାରେ ଶିବାଜୀଙ୍କୁ ବିଭିନ୍ନ ସଙ୍ଗଠନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ତାଙ୍କ ସହିତ ରେଳପଥ ଆନ୍ଦୋଳନର ପ୍ରମୁଖ ସଦସ୍ୟମାନେ ନୟାଗଡ଼କୁ ଆସିଥିଲେ। ଟାଉନ ଷ୍ଟେଶନଠାରୁ ଶିବାଜୀଙ୍କୁ ପାଛୋଟି ଅଣାଯାଇଥିଲା। ଏହି ଅବସରରେ ଖଣ୍ଡପଡ଼ା ରୋଡ଼ସ୍ଥିତ ନୀଳମାଧବ କଲ୍ୟାଣମଣ୍ଡପ ନିକଟରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଅଧ୍ୟାପକ ଗୋପାଳକୃଷ୍ଣ ଦାସଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ରୋଡ଼- ବଲାଙ୍ଗୀର ରେଳପଥ ପାଇଁ ଶିବାଜୀ ପଟ୍ଟନାୟକ ଏମ୍‌ପି ଥିବା ସମୟରେ ତାଙ୍କର ଅବଦାନ ସମ୍ପର୍କରେ ଆଲୋଚନା ହୋଇଥିଲା। ଏହି ରେଳ ଲାଇନ୍‌ ପୂର୍ଣ୍ଣାଙ୍ଗ ହେବା ନିମନ୍ତେ ଆଗାମୀ ଆନ୍ଦୋଳନରେ ଶିବାଜୀ ଆଲୋକବର୍ତ୍ତିକା ଭଳି ଦିଗଦ୍ରଷ୍ଟା ହେବେ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ। ଆସନ୍ତା ମାସରୁ ଖୋର୍ଦ୍ଧାଠାରୁ ବଲାଙ୍ଗୀର ୫ଟିଯାକ ଜିଲାର କ୍ରିୟାନୁଷ୍ଠାନ କମିଟି ସଦସ୍ୟମାନଙ୍କୁ ନେଇ ଦଶପଲ୍ଲାଠାରେ ଏକ ସମ୍ମିଳନୀ କରାଯିବା ସହିତ ପରବର୍ତ୍ତୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ପାଇଁ ଏକ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। କ୍ରିୟାନୁଷ୍ଠାନ କମିଟିର ଆବାହକ ବିଶ୍ୱନାଥ ମହାପାତ୍ରଙ୍କ ସମେତ ସାମାଜିକ କର୍ମୀ ପ୍ରମୋଦ ପଟ୍ଟନାୟକ, ଗୋଦାବରୀଶ ସାହୁ, ପ୍ରଫେସର ଦୁଖୀଶ୍ୟାମ ଦାଶ, ନିରଞ୍ଜନ ମିଶ୍ର, ଶରତ ଚନ୍ଦ୍ର ବେହେରା, ଶ୍ରୀକାନ୍ତ ପଟ୍ଟନାୟକ, ଗୋଲକ ବିହାରୀ ମୁଦୁଲି,ଏସ୍‌ ଏ ମନାନ, ଅମୂଲ୍ୟ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Share