ରେଳପଥ ପାଇଁ ପ୍ରଭାବିତ ହେଉଛି ଚାଷଜମି: ଜିଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲେ କ୍ଷତିଗ୍ରସ୍ତ ଚାଷୀ

ଡୁବୁରୀ/ସୁକିନ୍ଦା,୧୯ା୧୦(ଡି.ଏନ୍‌.ଏ.): ସୁକିନ୍ଦା-ଅନୁଗୋଳ-ଡୁବୁରୀ ରେଳ ପ୍ରକଳ୍ପ ନିର୍ମାଣ ଯୋଗୁ ଦାନଗନୀ ବ୍ଲକ ଅନ୍ତର୍ଗତ ବାଘୁଆପାଳ ଓ ବାଲିଆପାଳ ମୌଜାର ଶହଶହ ହେକ୍ଟର ଚାଷ ଜମି ମରୁଡି କବଳିତ ହୋଇଛି। ଏ ଦିଗରେ ବହୁବାର ଅଭିଯୋଗ ପରେ ମଧ୍ୟ କୌଣସି ସୁଫଳ ମିଳିପାରୁ ନାହଁ। ଏହାକୁ ନେଇ ଶୁକ୍ରବାର ଶତାଧିକ କ୍ଷତିଗ୍ରସ୍ତ ଚାଷୀଙ୍କ ପକ୍ଷରୁ ବାଘୁଆପାଳ ରେଳପଥ ରାସ୍ତା ନିକଟରେ ବୈଠକ ହୋଇଥିଲା। ଏହି ଅବସରରେ ରେଳ ପ୍ରକଳ୍ପ ଯୋଗୁ ଦେଖାଦେଇଥିବା ସମସ୍ୟାରା ସମାଧାନ ପାଇଁ ପୋଷ୍ଟାଲ ମାଧ୍ୟମରେ ଶତାଧିକ ଦସ୍ତଖିତ ସମ୍ବଳିତ ଏକ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରାଯାଇଥିବା ଜଣାପଡିଛି। ଏ ଦିଗରେ ୭ ଦିନ ମଧ୍ୟରେ କୌଣସି ସମାଧାନ କରା ନ ଗଲେ ରାଜ ରାସ୍ତାରେ ଆନ୍ଦୋଳନ କରାଯିବା ନେଇ କ୍ଷତିଗ୍ରସ୍ତଚାଷୀ ଚେତାବନୀ ଦେଇଛନ୍ତି। ଯାଜପୁର ଜିଲାର ବାଘୁଆପାଳଠାରୁ ଅନୁଗୋଳ ପର୍ଯ୍ୟନ୍ତ ରେଳପଥ ନିର୍ମାଣ କାମ କରାଯାଉଛି। ରେଳପଥ ଯୋଗୁ ବାଘୁଆପାଳ ଜଙ୍କଶନଠାରୁ ରାମଠେଙ୍ଗା ପର୍ଯ୍ୟନ୍ତ ୩ କିମି ପର୍ଯ୍ୟନ୍ତ ୯୦ ଫୁଟ ଗଭୀର ଓ ଶହେ ଫୁଟ ଓସାରର ବିଶାଳ ଲାଇନ ଖୋଳାଯାଇଛି। ଏହାଦ୍ୱାରା ସମ୍ପୃକ୍ତ ଅଞ୍ଚଳର ସମସ୍ତ ଚାଷ ଜମିର ପାଣି କେନାଲ ଟାଣି ନେଉଛି। ଫଳରେ ଅଞ୍ଚଳର ଜଳପତ୍ତନ କମିବାରେ ଲାଗିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ସୁକିନ୍ଦା, ଦାନଗଦୀ ବ୍ଲକର ଶତାଧିକ ଚାଷୀ ଝରଣା ସହ ବର୍ଷାଜଳ ଉପରେ ଚାଷ କାର୍ଯ୍ୟ ପାଇଁ ନିର୍ଭର କରୁଥିଲେ। ମାତ୍ର ବାଲିଆପାଳ ମୌଜାରେ ରେଳପଥ ନିର୍ମାଣ ହେବା ଦ୍ୱାରା ବାଲିଆପାଳ ପାତ୍ରସାହି, ମଣ୍ଡପଡ଼ା, ଶଗଡ଼ଗୋଳା, ଓଲିବେଡା, ବାଘୁଆପାଳ, କାଣ୍ଡେସାହି ପ୍ରଭୃତି ଅଞ୍ଚଳର ଶତାଧିକ ଚାଷୀଙ୍କ ଚାଷ ଜମି ଗଭୀର ପ୍ରଭାବ ପଡିଛି। ହେଲେ ଚାଷକରି ବର୍ଷ ବର୍ଷ ଧରି ନିଜର ଜୀବିକା ନିର୍ବାହ କରୁଥିବା କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରା ନ ଯିବା ସାଧାରଣରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସଞ୍ଜୟ ବାନରା, କୁସୁନୁ ସାମ୍ବାଡ, ବିରସିଂ ହେସା, ରାମ ଚନ୍ଦ୍ର ଗାଗରାଇ, ରାଜୋ ଜାମୁଣ୍ଡା, ବଳରାମ ମହାନ୍ତ, ରାମଚନ୍ଦ୍ର ଜାମୁଦା, ସତୀଶ ଜାମୁଦା, ସମବାରୀ ଗାଗରାଇ, ନନ୍ଦିନିଜାମୁଦାଙ୍କ ସହ ବହୁ ଚାଷୀ ବୈଠକରେ ଯୋଗ ଦେଇଥିଲେ।

Share