ରେଳବାଇ ଜାଗାରୁ ଗଛକଟା: ଜେଲ୍‌ ଗଲେ ଅଭିଯୁକ୍ତ କାଠ ବେପାରୀ

ରୂପ୍‌ସା, ୪।୯(ଡି.ଏନ.ଏ.)-ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବାଲେଶ୍ୱର ଜିଲା ରାଜଘାଟ ରେଳଷ୍ଟେଶନ ପାଖ ରେଳବାଇ ଜାଗାରେ ଥିବା ଏକ ଜଙ୍ଗଲରୁ ଅବାଧ ଗଛକଟା ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ଦୀର୍ଘଦିନ ଧରି କାଠ ବ୍ୟବସାୟୀମାନେ ରାତିଦିନ ମୂଲ୍ୟବାନ ଗଛ ସବୁ କାଟି ନେଉଥିବା ଅଭିଯୋଗ ହେଉଥିଲେ ହେଁ ରେଳ ଓ ବନ ବିଭାଗ ତରଫରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବା ଷ୍ଟେଶନ ଡେଭେଲପମେଣ୍ଟ କମିଟି କର୍ମକର୍ତ୍ତା ଅଭିଯୋଗ କରିଛନ୍ତି। ରେଳବାଇ ସମ୍ପତ୍ତିର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ଆରପିଏଫ୍‌ ଥାନା ପୋଲିସ ମଧ୍ୟ ଏହି ଜଙ୍ଗଲ ସୁରକ୍ଷା କରିବାରେ ଫେଲ ହୋଇଥିବା ଅଞ୍ଚଳବାସୀ କହିଛନ୍ତି। ସୋମବାର ପୁଣି ଏହି ଜଙ୍ଗଲରୁ ଗଛ କଟାଯାଇଥିବା ଦେଖି ସ୍ଥାନୀୟ ଲୋକେ ଆରଫିଏଫ୍‌ ଓ ବନ ବିଭାଗକୁ ଖବର ଦେଇଥିଲେ। ଆରପିଏଫ୍‌ ଥାନା ପୋଲିସ ଏସ୍‌. ପାତ୍ର କର୍ମଚାରୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚତ୍ କଟାଯାଇଥିବା କାଠଗଣ୍ଡିକୁ ଜବତ କରିବା ସହ ବସ୍ତା ଥାନା ବେଣାପୁରା ଗ୍ରାମର ଅଭିଯୁକ୍ତ ମଣ୍ଟୁ ଓରଫ୍‌ ମନୋରଞ୍ଜନ ମହାଳିକଙ୍କୁ ଗିରଫ କରିଥିଲେ। ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇ ମଙ୍ଗଳବାର କୋର୍ଟଚାଲାଣ କରାଯାଇଛି।
ଏହି ଷ୍ଟେଶନ ନିକଟସ୍ଥ କାଳୀମନ୍ଦିର ପାଖରେ ରେଳ ବିଭାଗ ତରଫରୁ ଆକାଶୀ, ପଟାସ, କଦମ୍ବ ଆଦି ଚାରାରୋପଣ କରାଯାଇ ଜଙ୍ଗଲ ସୃଷ୍ଟି ହୋଇଥିଲା। ଏବେ ନିୟମିତ କାଠ ମାଫିଆମାନେ ଜଙ୍ଗଲର ମୂଲ୍ୟବାନ କାଠ ସବୁ ଚୋରାରେ ଓ ବେଆଇନ ଭାବେ କାଟି ନେଉଥିବାରୁ ଜଙ୍ଗଲ ନଷ୍ଟ ହେବାକୁ ବସିଛି। ବାରମ୍ବାର ଅଭିଯୋଗ ହେବା ପରେ ପ୍ରଥମଥର ପାଇଁ ଆରପିଏଫ୍‌ ପହଞ୍ଚତ୍ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିବାରୁ କାଠ ମାଫିଆଙ୍କ ମହଲରେ ଛନକା ପଶିଛି।