ରେଳଷ୍ଟେଶନରେ ଏକକ ବ୍ୟବହୃତ ପ୍ଲାଷ୍ଟିକ ନିଷିଦ୍ଧ: କାର୍ଯ୍ୟାନୁଷ୍ଠାନ ପାଇଁ ନିୟମ ନାହିଁ

ଭୁବନେଶ୍ୱର, ୫ା୧୦(ବ୍ୟୁରୋ): ଗାନ୍ଧୀ ଜୟନ୍ତୀରୁ ରେଳଷ୍ଟେଶନଗୁଡ଼ିକରେ ଏକକ ବ୍ୟବହୃତ ପ୍ଲାଷ୍ଟିକ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି। ହେଲେ ଏବେ ବି ବିଭିନ୍ନ ଷ୍ଟେଶନରେ ନିଷିଦ୍ଧ ପ୍ଲାଷ୍ଟିକ ଓ ପଲିଥିନ୍‌ ବ୍ୟବହାର ହେଉଛି। ତେବେ ସମ୍ପୃକ୍ତ ବ୍ୟବହାରକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କୌଣସି ନିୟମ ନାହିଁ। ଫଳରେ ଏହି କଟକଣାର କାର୍ଯ୍ୟକାରିତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ମାସକ ଆଗରୁ ବିଭିନ୍ନ ଷ୍ଟେଶନରେ ସଚେତନତା କାର୍ଯ୍ୟକ୍ରମ କରି ଯାତ୍ରୀଙ୍କୁ ଏକକ ବ୍ୟବହୃତ ପ୍ଲାଷ୍ଟିକ ବ୍ୟବହାର ନ କରିବାକୁ ବୁଝାଯାଇଛି। ୨ ଅକ୍ଟୋବରରୁ ଏହି ନିୟମ କଡାକଡି ଭାବେ ପାଳନ କରାଯିବ ବୋଲି ରେଲଓ୍ବେ ବୋର୍ଡ ନିଷ୍ପତ୍ତି ନେଇଥିଲା। ନିୟମ ଲାଗୁହେବା ପୂର୍ବରୁ ଷ୍ଟେଶନରେ ପ୍ଲାଷ୍ଟିକ ବ୍ୟବହାର ନ କରିବା ଲାଗି ଡିଆର୍‌ଏମ୍‌ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଷ୍ଟେଶନ ପରିସରସ୍ଥ ଖୁଚୁରା ବ୍ୟବସାୟୀମାନଙ୍କୁ ଏ ସମ୍ପର୍କରେ ଅବଗତ କରାଇବାକୁ ସେମାନଙ୍କୁ କୁହାଯାଇଥିଲା। ହେଲେ ଏବେ ବି ଭୁବନେଶ୍ୱର ଷ୍ଟେଶନରେ ଏକକ ବ୍ୟବହୃତ ପ୍ଲାଷ୍ଟିକ ବ୍ୟବହାର ହେଉଥିବା ଦେଖିବାକୁ ମିଳିଛି। ଏପରି କି ନିଷିଦ୍ଧ ପଲିଥିନରେ ଖାଦ୍ୟ ଜିନିଷ ପ୍ୟାକେଟ ହୋଇ ବିକ୍ରି ହେଉଛି। ତେବେ ନିଷିଦ୍ଧ ପ୍ଲାଷ୍ଟିକ ବ୍ୟବହାର ବିରୋଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ରେଲଓ୍ବେ ବୋର୍ଡରୁ କୌଣସି ସର୍କୁଲାର ଆସିନାହିଁ ବୋଲି ଭୁବନେଶ୍ୱର ଷ୍ଟେଶନ କର୍ତ୍ତୃପକ୍ଷ କହିଛନ୍ତି। ପୂର୍ବତଟ ରେଳପଥ ମୁଖ୍ୟାଳୟରେ ମଧ୍ୟ ଏ ସଂକ୍ରାନ୍ତ କୌଣସି ସୂଚନା ନ ଥିବା ଜଣାପଡ଼ିଛି।

Share