Categories: ଗଞ୍ଜାମ

ରେଳଷ୍ଟେଶନରେ ସୁରକ୍ଷିତ ମଣୁନାହାନ୍ତି ଯାତ୍ରୀ

ବ୍ରହ୍ମପୁର ଅଫିସ,୧୯ା୧-ଦକ୍ଷିଣ ଓଡ଼ିଶାର ବ୍ରହ୍ମପୁର ରେଳଷ୍ଟେଶନ ଉପରେ ପ୍ରତିଦିନ ହଜାର ହଜାର ଲୋକ ନିର୍ଭର କରନ୍ତି। ଏହି ଷ୍ଟେଶନ ଦେଇ ବହୁ ଟ୍ରେନ ଚଳାଚଳ କରୁଛି। ଏଠାରୁ ଯାତ୍ରୀମାନେ ଭୁବନେଶ୍ୱର ଦେଇ କଲିକତା ଓ ଦିଲ୍ଲୀ ଯିବା ପାଇଁ ଏବଂ ଆନ୍ଧ୍ରପ୍ରଦେଶ ଦେଇ ସୁରଟ, ମୁମ୍ବାଇ, ତାମିଲନାଡୁ ଆଦିକୁ ଯାଇଥାନ୍ତି। ଦୈନିକ ବହୁ ଯାତ୍ରୀ ବିଭିନ୍ନ ସ୍ଥାନକୁ ଯିବାପାଇଁ ବ୍ରହ୍ମପୁର ରେଳଷ୍ଟେଶନକୁ ଆସୁଛନ୍ତି। ତେବେ ଏଠାରେ ଅସହାୟ ତଥା ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କ ସଂଖ୍ୟା ବଢ଼ୁଥିବାରୁ ଯାତ୍ରୀମାନେ ସୁରକ୍ଷିତ ମଣୁ ନଥିବା ଅଭିଯୋଗ ହେଉଛି। ବିଶେଷକରି ମହିଳା ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ଦିଗରେ କେହି ବି ଦୃଷ୍ଟି ଦେଉନାହାନ୍ତି।
ଶନିବାର ସକାଳେ ଭୁବନେଶ୍ୱର ଯିବା ପାଇଁ ଜଣେ ଯୁବତୀ ବ୍ରହ୍ମପୁର ରେଳଷ୍ଟେଶନକୁ ଆସିଥିଲେ। ସେ ଟିକେଟ ପାଇଁ କାଉଣ୍ଟରକୁ ଯାଉଥିବା ବେଳେ ଜଣେ ମାନସିକ ବିକାରଗ୍ରସ୍ତ ଯୁବକ ତାଙ୍କୁ ଭିଡି ନେଇଥିଲେ। ଏହାଦେଖି ସେଠାରେ ଥିବା ଲୋକେ ସମ୍ପୃକ୍ତ ମାନସିକ ବିକାରଗ୍ରସ୍ତଙ୍କୁ ଟାଣିଆଣି ରାସ୍ତାରେ ଛାଡ଼ିଥିଲେ। ପରେ ଯୁବତୀ ଜଣକ କାଉଣ୍ଟରରୁ ଟିକେଟ ନେଇ ଟ୍ରେନ ଆସିବା ପରେ ଭୁବନେଶ୍ୱର ଯାଇଥିଲେ। ଏପରି ଘଟଣା ଥରକୁ ଥର ହେଉଥିବାରୁ ମହିଳାଯାତ୍ରୀମାନେ ନିଜକୁ ସୁରକ୍ଷିତ ମଣୁନାହାନ୍ତି। ସରକାର ମହିଳା ଓ ଯୁବତୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଉଥିବା କହୁଥିବା ବେଳେ ଏଠାରେ କାର୍ଯ୍ୟରତ ଅଧିକାରୀମାନଙ୍କ ଖାମଖିଆଲ ନୀତି ଯୋଗୁ ଏଭଳି ଅଭାବନୀୟ ଘଟଣା ଘଟୁଛି। ରେଳଷ୍ଟେଶନରେ ଯାତ୍ରୀଙ୍କ ସୁରକ୍ଷା ପାଇଁ ସରକାରୀ ରେଳବାଇ ପୋଲିସ (ଜିଆରପି) ଓ ରେଳ ସୁରକ୍ଷା ବଳ (ଆର୍‌ପିଏଫ) ରହିଥିଲେ ମଧ୍ୟ ଏଭଳି କ୍ଷେତ୍ରରେ ମାନସିକ ଦିବ୍ୟାଙ୍ଗମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁ ନାହାନ୍ତି। ଅନ୍ୟପକ୍ଷରେ ମାନସିକ ବିକାରଗ୍ରସ୍ତଙ୍କ ଥଇଥାନ ପାଇଁ ସହରରେ ସରକାର ଅନେକ ଯୋଜନା କରିଛନ୍ତି। ହେଲେ ପ୍ରଶାସନ ଏଥିପ୍ରତି ଆନ୍ତରିକତା ଦେଖାଉ ନଥିବା ଦେଖିବାକୁ ମିଳିଛି। ଯଦ୍ଦ୍ବାରା ମାନସିକ ଅନଗ୍ରସରମାନେ ବସଷ୍ଟାଣ୍ଡ ଓ ରେଳଷ୍ଟେଶନରେ ଘୂରି ବୁଲୁଛନ୍ତି। ମହିଳାଯାତ୍ରୀଙ୍କୁ ସେମାନେ ସର୍ବସାଧାରଣରେ ଅସଦାଚରଣ ଉଦ୍ୟମ କରୁଥିଲେ ମଧ୍ୟ ଉଭୟ ପୋଲିସ, ପ୍ରଶାସନ ନୀରବଦ୍ରଷ୍ଟା ସାଜୁଛନ୍ତି। ପୀଡ଼ିତା ଲଜ୍ଜିତ ହୋଇ ଚୁପ ରହୁଛି। ପ୍ରଶାସନ ଏ ଦିଗରେ କୌଣସି ପଦକ୍ଷେପ ନ ନେଲେ ଆଗାମୀ ଦିନରେ ମହିଳା ଯାତ୍ରୀମାନେ ଏହି ମାନସିକ ବିକାରଗ୍ରସ୍ତମାନଙ୍କ ଦ୍ୱାରା ବଳାତ୍କାରର ଶିକାର ହେବେ ଏବଂ ସରକାର ଏଥିପାଇଁ ଦାୟୀ ରହିବେ ବୋଲି ଭାଜପା ପୂର୍ବତନ ଜିଲା ସଭାପତି କାହ୍ନୁ ଚରଣ ପତି କହିଛନ୍ତି। ଏ ନେଇ ଜିଆରପି ଥାନାଧିକାରୀ ସୁକାନ୍ତ ଭୋଇ ଯାତ୍ରୀଙ୍କ ସୁରକ୍ଷା ପ୍ରତି ପୋଲିସ ଯଥେଷ୍ଟ ଧ୍ୟାନ ଦେଉଛ ବୋଲି କହିଛନ୍ତି। ଶନିବାର ଷ୍ଟେଶନରେ ଘଟିଥିବା ଘଟଣା ସମ୍ପର୍କରେ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ସେ କହିଛନ୍ତି।