Categories: ମେଟ୍ରୋ

ରେଳଷ୍ଟେଶନ ଛାତରେ ବେଧଡ଼କ ନିଶା ସେବନ : ଆଖିବୁଜି ଦେଇଛି ଆର୍‌ପିଏଫ୍‌, ଜିଆର୍‌ପି

ଭୁବନେଶ୍ୱର,୫ା୮(ବ୍ୟୁରୋ) : ରେଳ ଷ୍ଟେଶନ ଭିତରେ ନିଶାଦ୍ରବ୍ୟ ସେବନ କରିବା ଦଣ୍ଡନୀୟ ଅପରାଧ। ଭୁବନେଶ୍ୱର ଷ୍ଟେଶନର ଚତୁଃପାର୍ଶ୍ୱକୁ ସିସିଟିଭି ମାଧ୍ୟମରେ ନଜର ରଖାଯାଇଛି। ଏହାସହ ରେଳ ସୁରକ୍ଷା ବଳ ଓ ସରକାରୀ ରେଳବାଇ ଥାନା ମିଳିତ ଭାବେ ଷ୍ଟେଶନର ସୁରକ୍ଷାକୁ ନିଶ୍ଚିତ କରୁଛନ୍ତି। ଏତେସବୁ ବ୍ୟବସ୍ଥା ଥିଲେ ମଧ୍ୟ ଆଇନକୁ ଫୁ କରି ଷ୍ଟେଶନ ଭିତରେ ସମସ୍ତଙ୍କ ଆଖି ଆଢ଼ୁଆଳରେ ଚାଲିଛି ବେଧଡ଼କ ନିଶା ସେବନ। ଷ୍ଟେଶନ ଭିତରେ ଏଭଳି ଏକ ସ୍ଥାନ ଅଛି ଯେଉଁଠି କାହାରି ଆଖି ପାଉନି ଅଥବା ଜାଣି ଅଜଣା ହେଉଛନ୍ତି ସୁରକ୍ଷା ଅଧିକାରୀ। ଯେଉଁଠି ମଦ, ସିଗାରେଟ୍‌, ଗଞ୍ଜେଇ ଭଳି ନିଶା ସେବନ ଚାଲୁଛି। ପ୍ଲାଟଫର୍ମ ନଂ.୬ରେ ନୂଆ କରି ଆରମ୍ଭ ହୋଇଥିବା ଫୁଡ୍‌ପ୍ଲାଜା ଛାତ ଉପରେ ଏହିସବୁ ନିଶାଦ୍ରବ୍ୟ ଖିଆଯାଉଛି। ଛାତ ଉପରେ କୌଣସି ବ୍ୟବହାରିକ ଜିନିଷ କିମ୍ବା ସାଧାରଣ ଜନତାଙ୍କ ଲାଗି ଉଦ୍ଦିଷ୍ଟ କିଛି ନାହଁି। ଏପରିକି ଯାତ୍ରୀମାନଙ୍କୁ ମଧ୍ୟ ଉପରକୁ ଯିବାକୁ ଅନୁମତି ନାହଁି। ଏହି ସୁଯୋଗରେ ଫୁଡ୍‌ପ୍ଲାଜାରେ କାମ କରୁଥିବା କର୍ମଚାରୀ କିମ୍ବା ସେଠାରେ ଥିବା ସଫେଇ କର୍ମଚାରୀ ଏ ସମସ୍ତ ନିଶା ଖାଉଛନ୍ତି ବୋଲି ଆଶଙ୍କା କରାଯାଉଛି। ଛାତ ଉପରେ ମଦ ବୋତଲ, ବିୟର ଟିନ୍‌, ଖୋଲା ବିଡି, ଗଞ୍ଜେଇ ପ୍ରସ୍ତୁତ କରାଯାଉଥିବା ସିଗାରେଟ୍‌ ଓ ଶହ ଶହ ଦିଆସିଲ କାଠି ପଡିଥିବା ଦେଖିବାକୁ ମିଳିଛି। ଫୁଡ୍‌ପ୍ଲାଜାକୁ ଆସୁଥିବା ସାମଗ୍ରୀ ପ୍ଲାଟଫର୍ମ ଶେଷ ଆଡକୁ ଥିବା ରାସ୍ତାପଟେ ଆସୁଥିବାରୁ ଏହି ବାଟରେ ଯାଞ୍ଚ ବ୍ୟବସ୍ଥା ନାହଁି। ସେହି ବାଟରେ ନିଶାଦ୍ରବ୍ୟ ଆଣିବାକୁ ବେଶ୍‌ ସହଜ ହେଉଛି। ଅନ୍ୟପକ୍ଷେ ଛାତଟି କୌଣସି କାମ ନ ହେଉଥିବାରୁ କର୍ମଚାରୀମାନେ ଅନାୟାସରେ ସେଠାରେ ପରିଶ୍ରା ମଧ୍ୟ କରୁଛନ୍ତି। ଷ୍ଟେଶନରେ ଶୌଚାଳୟ ଉପଲବ୍ଧ ଥିଲେ ମଧ୍ୟ ଦୂରକୁ ନ ଯାଇ ପାଖରେ ଛାତ ଥିବାରୁ ତାହା ଖୋଲା ଶୌଚାଳୟ ଭାବେ ବ୍ୟବହାର କରୁଛନ୍ତିି। ଏ ସମ୍ପର୍କରେ ଉଭୟ ରେଳ ସୁରକ୍ଷା ବଳ ଥାନାଧିକାରୀ ଓ ସରକାରୀ ରେଳବାଇ ଥାନାଧିକାରୀଙ୍କୁ ପଚରାଯାଇଥିଲା। ଆରପିଏଫ ଥାନାଧିକାରୀ କାଳୁ ସେଠୀ କହିଛନ୍ତି ଯେ, ଏମିତି ଘଟଣା ନଜରକୁ ଆସି ନ ଥିଲା। ଏହାର ତଦନ୍ତ କରାଯାଇ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଜିଆରପି ଥାନାଧିକାରୀ ଭରତ ସାହୁ କହିଛନ୍ତି, ଏ ବିଷୟରେ ଜାଣି ନାହାନ୍ତି। ଆଗକୁ କାର୍ଯ୍ୟାନୁଷ୍ଠାନ ହେଲେ ତାହା ବନ୍ଦ ହୋଇଯିବ।

Share