Categories: ମେଟ୍ରୋ

ରେଳ ଓଭରବ୍ରିଜରେ ଆଲୋକ ବ୍ୟବସ୍ଥା କରିବାକୁ ଦାବି

ଭୁବନେଶ୍ୱର,୨୦।୧(ବ୍ୟୁରୋ): ବୀର ସୁରେନ୍ଦ୍ର ସାଏ ନଗରରୁ ମଞ୍ଚେଶ୍ୱର ଶିଳ୍ପାଞ୍ଚଳକୁ ସଂଯୋଗ କରୁଥିବା ରେଳ ଓଭରବ୍ରିଜକୁ ପ୍ରାୟ ତିନି ବର୍ଷ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ। କିନ୍ତୁ ଏବେ ସୁଦ୍ଧା ଏହାର ଆଲୋକୀକରଣ ହୋଇପାରିଲା ନାହିଁ। ରାତିରେ ବିନା ଆଲୋକରେ ଯାତାୟାତ ଯୋଗୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟିବା ସହ ଲୁଟ୍‌ପାଟ ବଢ଼ୁଛି। ଏ ପରିସ୍ଥିତିକୁ ନେଇ ଭିଏସ୍‌ଏସ୍‌ ନଗର ଉନ୍ନୟନ ପରିଷଦ ଦୃଢ ନିନ୍ଦା କରିବା ସହ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛି। ରବିବାର ଅନୁଷ୍ଠିତ ପରିଷଦର ସାଧାରଣ ବୈଠକରେ ଏହାକୁ ନେଇ ଆଲୋଚନା ହୋଇଥିଲା। ଡ. ଜୟନ୍ତ କୁମାର ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପରିଷଦର ସାଧାରଣ ସମ୍ପାଦକ ଦିଲୀପ ଦାଶଶର୍ମା ଓ କୋଷାଧକ୍ଷ ମହେଶ୍ୱର ବିଶ୍ୱାଳ ୨୦୨୦-୨୧ ବର୍ଷ ପାଇଁ ଭିଏସ୍‌ଏସ୍‌ ନଗରରେ ହେବାକୁ ଥିବା ବିଭିନ୍ନ ଯୋଜନା ଓ ବିକାଶ ମୂଳକ କାର୍ଯ୍ୟର ବିବରଣୀ ପ୍ରଦାନ କରିଥିଲେ। ସେହିପରି ଅଞ୍ଚଳର ବିଭିନ୍ନ ସମସ୍ୟା ମଧ୍ୟ ଉପସ୍ଥାପନ କରାଯାଇଥିଲା। ଏହି ଅବସରରେ ଭିଏସ୍‌ଏସ୍‌ ନଗର ଅଞ୍ଚଳର ରାସ୍ତା ମରାମତି ସହ ଡ୍ରେନେଜ୍‌ ସମସ୍ୟା ଓ ଡାକ୍ତରଖାନାରେ ଡାକ୍ତରଙ୍କ ନିଯୁକ୍ତି କଥା ବି ଆଲୋଚନା ହୋଇଥିଲା। ବୈଠକରେ ଇଂ. ନଳିନୀ କୁମାର ମହାନ୍ତି, ନିମାଇଁ ଚରଣ ଦାସ, ଧରଣୀଧର ରାଉତ, ତ୍ରିଲୋଚନ ରଥ, ଚିନ୍ତାମଣି ବାରିକ, କ୍ଷେତ୍ରମୋହନ ନାୟକ ଓ ସୁରେଶ ଚନ୍ଦ୍ର କର ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶୀତଳ ଚନ୍ଦ୍ର ମହାନ୍ତି ଧନ୍ୟବାଦ ଦେଇଥିଲେ।

Share