ରେଳ ଧାରଣାରେ ବେଲଦା ଯାଉଛନ୍ତି ୧୪ ଶ୍ରମିକ

ଜଳେଶ୍ୱର, ୧୦।୫(ସ୍ବ.ପ୍ର.)-କରୋନା ଲାଗି ଲକ୍‌ଡାଉନ୍‌ ଯୋଗୁ ଦେଶର ବିଭିନ୍ନ ସ୍ଥାନରେ କଳକାରଖାନା, କମ୍ପାନୀ ଆଦି ବନ୍ଦ ହୋଇ ଯାଇଥିବାରୁ ପ୍ରବାସୀମାନେ ଘରମୁହଁ। ହୋଇଛନ୍ତି। ଗମନାଗମନରେ ରୋକୋ ଲାଗିଥିବାରୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତାୟାତ ଅସମ୍ଭବ ହୋଇପଡିଛି। ପାଖରେ ଅର୍ଥ ନ ଥିବା ଏବଂ ଖାଦ୍ୟ ମିଳୁ ନ ଥିବାରୁ ଶ୍ରମିକମାନେ ଭୋକିଲା ପେଟରେ ଚାଲି ଚାଲି ଦୀର୍ଘପଥ ଅତିକ୍ରମ କରୁଛନ୍ତି। ୧୪ଜଣ ଶ୍ରମିକ କପିଳାସରୁ ବାହାରି ଶନିବାର ଦ୍ୱିପ୍ରହର ସମୟରେ ବାଲେଶ୍ୱର ଜିଲା ଜଳେଶ୍ୱର ରେଳଷ୍ଟେଶନ ନିକଟରେ ପହଞ୍ଚିଥିଲେ। ସେମାନେ ବେଲଦା ଯିବା ଲାଗି ଜଳେଶ୍ୱର ରେଳଷ୍ଟେଶନଠାରେ ପୂର୍ବାହ୍ନ ୧୧ଟା ୩୦ମିନିଟ୍‌ ସମୟରେ ଅତିକ୍ରମ କରିଥିଲେ। ଜଳେଶ୍ୱର ଷ୍ଟେଶନ ମ୍ୟାନେଜର ଖଗେନ୍ଦ୍ରନାଥ ମଣ୍ଡଳ ଓ କାର୍ଯ୍ୟରତ ଆର୍‌ପିଏଫ୍‌ ରେଳଧାରଣାରେ ଚଳାଚଳ ବେଆଇନ ବୋଲି କହି ଅଟକ ରଖିବାରୁ ସେମାନେ କାନ୍ଦି ସେମାନଙ୍କର ୬ଦିନର ଦୁଃଖ ବଖାଣିଥିଲେ। ଶେଷରେ ଏହି ୧୪ ଶ୍ରମିକଙ୍କୁ ଉପାନ୍ତରେ ଥିବା ଚେକ୍‌ପୋଷ୍ଟକୁ ରେଳବାଇ ନେଇଥିଲା। ସେଠାରେ ଉପସ୍ଥିତ ପ୍ରଶାସନକୁ ହସ୍ତାନ୍ତର ବେଳେ ପ୍ରଶାସନ ପ୍ରତ୍ୟାଖ୍ୟାନ ରିଛି। ଫଳରେ ଏହି ଘଟଣା ରେଳବାଇର ମୁଣ୍ଡବ୍ୟଥାର କାରଣ ହୋଇଛି। ଜିଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ମେଦିନୀପୁର ଜିଲା ପ୍ରଶାସନକୁ ସ୍ଥାନାନ୍ତର କରିବାକୁ ଦାବି ହୋଇଛି।