ରେଳ ବିଭାଗ ସାଇଟ୍‌କୁ ହ୍ୟାକ୍‌ କରି ଟିକେଟ ବିକ୍ରି ଧରାପଡ଼ିଲା: ବାଲିଆପାଳରୁ କ୍ୟାଫେ ମାଲିକ ଗିରଫ

ବାଲିଆପାଳ, ୩।୧୧(ସ୍ବ.ପ୍ର.)-ବାଲେଶ୍ୱର ଜିଲା ବାଲିଆପାଳର ଏକ ଇଣ୍ଟରନେଟ୍‌ କ୍ୟାଫେ୍‌ ଉପରେ ରେଳବାଇ ପୋଲିସ ରବିବାର ପୂର୍ବାହ୍ନରେ ଚଢ଼ାଉ କରି ଏହାର ମାଲିକ ଗୁରୁ ପ୍ରସାଦ ଦାସଙ୍କୁ ଗିରଫ କରିଛି। ସେଠାରେ ରେଳ ବିଭାଗର ସାଇଟ୍‌କୁ ହ୍ୟାକ୍‌ କରି ବିଭିନ୍ନ ଟ୍ରେନର ଟିକେଟ କାଟି ବେଆଇନ ଭାବେ ଚଢାଦରରେ ବିକ୍ରି କରାଯାଉଥିଲା। ଏ ସଂକ୍ରାନ୍ତ ସୂଚନାକୁ ଆଧାର କରି ରେଳବାଇ ଖଡ଼ଗପୁର ଡିଭିଜନ ଟାସ୍କଫୋର୍ସ ଅଧିକାରୀ କେ. ସମଜଦାର, ବାଲେଶ୍ୱର ରେଳ ବିଭାଗ ପୋଲିସ ଜେ.କେ. ମହାପାତ୍ର ସ୍ଥାନୀୟ ପୋଲିସ ସହାୟତାରେ ଚଢ଼ାଉ କରି ଯାଞ୍ଚ କରିଥିଲେ। ଚଢାଉ ବେଳେ ସେଠାରୁ କମ୍ପ୍ୟୁଟର ଏବଂ ପ୍ରିଣ୍ଟର ଆଦି ଜବତ ହୋଇଛି। ଗିରଫ କ୍ୟାଫେ ମାଲିକ ଗୁରୁ ପ୍ରସାଦଙ୍କୁ ପ୍ରଥମେ ବାଲିଆପାଳ ଥାନା ଏବଂ ପରେ ବାଲେଶ୍ୱର ରେଳବାଇ ଥାନାକୁ ନିଆଯାଇ ପଚରାଉଚୁରା କରାଯାଉଥିବା ରେଳବାଇ ପୋଲିସ ସୂଚନା ଦେଇଛି।