ରେଳ ଷ୍ଟେଶନରେ ଯାତ୍ରୀ ପାଇବେ ସ୍ବାସ୍ଥ୍ୟକର ଖାଦ୍ୟ

ଭୁବନେଶ୍ୱର, ୪ା୧୨(ବ୍ୟୁରୋ): ଏଣିକି ରେଳ ଷ୍ଟେଶନରେ ଯାତ୍ରୀଙ୍କୁ ମିଳିବ ସୁରକ୍ଷିତ ତଥା ସ୍ବାସ୍ଥ୍ୟକର ଖାଦ୍ୟ। ଏହା ଉପରେ ଏବେ ଭାରତୀୟ ରେଳପଥ ଗୁରୁତ୍ୱ ଦେଇଛି। ଏନେଇ ‘ଇଟ୍‌ ରାଇଟ୍‌ ଷ୍ଟେଶନ’ ନାମରେ ନୂଆ ଅଭିଯାନ ଆରମ୍ଭ ହୋଇଛି। ଏଥିରେ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (ଏଫ୍‌ଏସ୍‌ଏସ୍‌ଏଆଇ) ରେଳ ଷ୍ଟେଶନଗୁଡ଼ିକରେ ବିକ୍ରି ହେଉଥିବା ଖାଦ୍ୟର ମାନ ପରୀକ୍ଷଣ କରି ‘ଇଟ୍‌ ରାଇଟ୍‌ ଷ୍ଟେଶନ’ ସାର୍ଟିଫିକେଟ ଦେଉଛି। ଖାଦ୍ୟ ପ୍ରସ୍ତୁତି, ବିକ୍ରି, ସ୍ବଚ୍ଛତା, ବର୍ଜ୍ୟ ପରିଚାଳନା, ଆଞ୍ଚଳିକ ଖାଦ୍ୟ ସାମଗ୍ରୀର ପ୍ରୋତ୍ସାହନ ଆଦିକୁ ମାନଦଣ୍ଡ ରୂପେ ନିଆଯାଉଛି। ଏଥିପାଇଁ ଏଫ୍‌ଏସ୍‌ଏସ୍‌ଆଇ ପକ୍ଷରୁ ପ୍ରଥମେ ତାଲିମ୍‌ ଦିଆଯାଉଛି। ନିର୍ଦ୍ଧାରିତ ସମୟ ବ୍ୟବଧାନରେ ଯାଞ୍ଚ ଓ ପରୀକ୍ଷା କରାଯାଇ ତାରକା ରେଟିଂ ସହ ସାର୍ଟିଫିକେଟ୍‌ ପ୍ରଦାନ କରାଯାଉଛି। ମଙ୍ଗଳବାର ଦକ୍ଷିଣ ରେଳପଥର ମୁମ୍ବାଇ ସେଣ୍ଟ୍ରାଲ ରେଳ ଷ୍ଟେଶନ ଏହି ସାର୍ଟିଫିକେଟ୍‌ ହାସଲ କରିଛି। ପରବର୍ତ୍ତୀ ସମୟରେ ଦେଶର ପ୍ରମୁଖ ରେଳ ଷ୍ଟେଶନଗୁଡ଼ିକ ଏହି ପ୍ରକ୍ରିୟାରେ ସାମିଲ ହେବେ। ଷ୍ଟେଶନରେ ଯାତ୍ରୀ ଖାଉଥିବା ଖାଦ୍ୟ ସ୍ବାସ୍ଥ୍ୟକର ବୋଲି ପ୍ରମାଣିତ କରିବା ହେଉଛି ଏହି ଅଭିଯାନର ମୂଳ ଲକ୍ଷ୍ୟ ବୋଲି ରେଳମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି।

Share