ରେଳ ଷ୍ଟେଶନରେ ଲାଗିବ ଜାତୀୟ ପତାକା

ଭୁବନେଶ୍ୱର,୧୮ା୧୦(ବ୍ୟୁରେ) : ଜିଲା ସଦର ମହକୁମା ରେଳ ଷ୍ଟେଶନ, ଐତିହାସିକ ସ୍ଥାନ ଓ ପର୍ଯ୍ୟଟନ କ୍ଷେତ୍ରର ଗୁରୁତ୍ୱ ବହନ କରୁଥିବା ରେଳ ଷ୍ଟେଶନଗୁଡିକରେ ଲାଗିବ ମନୁମେଣ୍ଟାଲ (ସ୍ମାରକୀ) ଜାତୀୟ ପତାକା। ଭାରତୀୟ ରେଳପଥ ନିର୍ଦ୍ଦେଶାନୁସାରେ ପୂର୍ବତଟ ରେଳପଥ ଅନ୍ତର୍ଗତ ଆଉ ୨୬ ବଡ଼ ଷ୍ଟେଶନରେ ଜାତୀୟ ପତାକା ସ୍ମାରକୀ ଭାବେ ଲଗାଯିବ। ଏହା ଯାତ୍ରୀଙ୍କ ମଧ୍ୟରେ ଜାତୀୟତାବାଦ ଓ ଦେଶପ୍ରେମ ଭାବନା ଜାଗ୍ରତ କରିବା ସହ ଷ୍ଟେଶନର ସୌନ୍ଦର୍ଯ୍ୟ ବଢ଼ାଇବ। ଆସନ୍ତା ମାର୍ଚ୍ଚ ସୁଦ୍ଧା ରେଳ ଷ୍ଟେଶନରେ ତ୍ରିରଙ୍ଗା ଉଡ଼ାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ ପୂର୍ବତଟ ରେଳପଥ ଅନ୍ତର୍ଗତ ଭୁବନେଶ୍ୱର ମୁଖ୍ୟ ରେଳ ଷ୍ଟେଶନ ଓ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଷ୍ଟେଶନରେ ପତାକା ଲଗାଯାଇଛି। ଏବେ ପ୍ରସ୍ତାବିତ ଷ୍ଟେଶନଗୁଡିକ ମଧ୍ୟରେ ରହିଛି ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ୧୩ ଷ୍ଟେଶନ, ସମ୍ବଲପୁର ରେଳ ମଣ୍ଡଳର ୬ ଷ୍ଟେଶନ ଏବଂ ଓ୍ବାଲ୍‌ଟିୟର ରେଳ ମଣ୍ଡଳର ୭ ଷ୍ଟେଶନ। ଏହି ଷ୍ଟେଶନଗୁଡ଼ିକ ହେଲା ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳର ପୁରୀ, କଟକ, ଭଦ୍ରକ, ଯାଜପୁର କେନ୍ଦୁଝର ରୋଡ଼, କେନ୍ଦୁଝର, ଅନୁଗୋଳ, ଢ଼େଙ୍କାନାଳ, ଖୋର୍ଦ୍ଧାରୋଡ଼, ଖୋର୍ଦ୍ଧା ଟାଉନ, ନୟାଗଡ଼ ଟାଉନ, ବ୍ରହ୍ମପୁର, ଛତ୍ରପୁର ଓ ପାରାଦୀପ। ସମ୍ବଲପୁର ରେଳ ମଣ୍ଡଳର ସମ୍ବଲପୁର, ବରଗଡ଼ ରୋଡ଼, ବଲାଙ୍ଗୀର, ନୂଆପଡ଼ା ରୋଡ଼, ଭବାନୀପାଟଣା ଓ ମହାସମୁନ୍ଦର ଏବଂ ଓ୍ବାଲ୍‌ଟିୟର ରେଳ ମଣ୍ଡଳର କୋରାପୁଟ, ରାୟଗଡ଼ା, ପାରଳାଖେମୁଣ୍ଡି, ଶ୍ରୀକାକୁଲମ ରୋଡ଼, ବିଜୟନଗରମ, ଜଗଦଲପୁର ଓ ଦାନ୍ତଓ୍ବୋଡ଼ା ଷ୍ଟେଶନରେ ସ୍ମାରକୀ ଜାତୀୟ ପତାକା ଲାଗିବ। ଏହିସବୁ ଷ୍ଟେଶନ ନିକଟରେ ଥିବା ଉପଯୋଗୀ ଫାଙ୍କା ସ୍ଥାନରେ ୧୦୦ ଫୁଟ ଉଚ୍ଚ ଖୁମ୍ବରେ ଜାତୀୟ ପତାକା ଲାଗିବ। ଆକର୍ଷଣୀୟ ଦୃଶ୍ୟମାନ ହେବା ପାଇଁ ଫୋକସ୍‌ ଲାଇଟ ବ୍ୟବହାର କରାଯିବାକୁ କୁହାଯାଇଛି। ଷ୍ଟେଶନ ପ୍ରଶାସନ ସହ ରେଳ ସୁରକ୍ଷା ବଳ ଏହି ସ୍ମାରକୀ ପତାକାର ସୁରକ୍ଷା ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ନେବ।

Share