ରେଷ୍ଟୁରାଣ୍ଟରେ ଆଫଗାନିସ୍ତାନ ଖେଳାଳିଙ୍କ ସଂଘର୍ଷ

ମାଞ୍ଚେଷ୍ଟର,୧୯।୬(ଏଏଫ୍‌ପି)- ମାଞ୍ଚେଷ୍ଟରର ଏକ ରେଷ୍ଟୁରାଣ୍ଟରେ ଆଫଗାନିସ୍ତାନ ଦଳର ଖେଳାଳି ଓ ସ୍ଥାନୀୟ ବ୍ୟକ୍ତିଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ଇଂଲଣ୍ଡ ବିପକ୍ଷ ବିଶ୍ୱକପ୍‌ ମ୍ୟାଚ୍‌ ପୂର୍ବ ରାତିରେ ଏହି ଘଟଣା ଘଟିଥିଲା। ବିବିସି ଅନୁଯାୟୀ ରେଷ୍ଟୁରାଣ୍ଟରେ ସ୍ଥାନୀୟ ଲୋକ ଆଫଗାନିସ୍ତାନ ଖେଳାଳିଙ୍କ ଭିଡିଓ କରୁଥିଲେ। ଏଥିରେ ଖେଳାଳିମାନେ ଆପତ୍ତି ଉଠାଇଥିଲେ। ଏ ସମ୍ପର୍କରେ ଦଳର ଅଧିନାୟକ ଗୁଲବଦିନ ନାଇବଙ୍କ ନିକଟରେ ଅଧିକ ସୂଚନା ନ ଥିବା କହିଛନ୍ତି। ସୁରକ୍ଷା ବ୍ୟବସ୍ଥାରେ ଥିବା କର୍ମକର୍ତ୍ତାଙ୍କୁ ପଚାରି ବୁଝିବେ। ମୋତେ ତାଙ୍କ ବିଷୟରେ କିଛି ଜଣା ନାହିଁ ଓ ଏହା ଦଳ ପାଇଁ ବଡ଼ କଥା ନୁହେଁ ବୋଲି ସେ ମ୍ୟାଚ୍‌ ପରେ କହିଛନ୍ତି। ଗ୍ରେଟର ମାଞ୍ଚେଷ୍ଟର ପୋଲିସ ସ୍ପଷ୍ଟ କରିଛି ଯେ, ରାତି ୧୧ଟା୧୫ରେ ଲିଭରପୁଲ ରୋଡ ପରିସରରେ ସଂଘର୍ଷ ହୋଇଥିଲା। ଖବର ମିଳିବା ପରେ ପୋଲିସ ସେଠାରେ ପହଞ୍ଚତ୍ ବୁଝାଶୁଝା କରିଥିଲା। ଏଥିରେ କୌଣସି ବ୍ୟକ୍ତି ଆହତ ହୋଇନାହାନ୍ତି। ପୋଲିସ କାହାକୁ ଗିରଫ କରିନାହିଁ। ଉଲ୍ଲେଖଥାଉ କି, ଓଲ୍ଡ ଟ୍ରାଫୋର୍ଡଠାରେ ଖେଳାଯାଇଥିବା ମ୍ୟାଚ୍‌ରେ ଆୟୋଜକ ଇଂଲଣ୍ଡ ୧୫୦ ରନ୍‌ରେ ଆଫଗାନିସ୍ତାନକୁ ହରାଇ ଦେଇଛି।

Share