ରେଷ୍ଟୁରାଣ୍ଟ, ବାର୍‌, କଫି ଶପ୍‌ ବନ୍ଦ

ଭୁବନେଶ୍ୱର, ୨୧ା୩ (ବ୍ୟୁରୋ): କରୋନା (କୋଭିଡ୍‌-୧୯)ର କରାଳ ସଂକ୍ରମଣ ସମଗ୍ର ବିଶ୍ୱକୁ ଗ୍ରାସ କରି ଚାଲିଛି। ରାଜ୍ୟରେ ଶପିଂମଲଠାରୁ ଆରମ୍ଭ କରି ସନେମା ହଲ, ପାର୍କ, ସଭା ସମିତି, ସାମାଜିକ ମିଳାମିଶା ଇତ୍ୟାଦିକୁ ବନ୍ଦ କରି ସାରିବା ପରେ ଏବେ ରେଷ୍ଟୁରାଣ୍ଟ, ବାର, କଫି ଶପ ଏବଂ ଅଧିକ ସଂଖ୍ୟାରେ ଜମା ହେଉଥିବା ଫାଷ୍ଟଫୁଡ ଦୋକାନଗୁଡିକୁ ବନ୍ଦ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି ସଂସ୍ଥାଗୁଡିକୁ ସରକାରଙ୍କ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବନ୍ଦ ରଖିବାକୁ କୁହାଯାଇଛି। ଏଥିସହିତ ରାଜ୍ୟରେ ଥିବା ସମସ୍ତ ବଡବଡ ହୋଟେଲ ଓ ଗେଷ୍ଟ ହାଉସଗୁଡିକରେ ଅତିଥିମାନଙ୍କ ମଧ୍ୟରେ ଅତି କମରେ ୨ ମିଟର ସୋସିଆଲ ଡିଷ୍ଟାନ୍ସ ବା ସାମାଜିକ ଦୂରତ୍ୱ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଅତିଥି ଏବଂ ଗ୍ରାହକମାନେ କିପରି ନିଜକୁ ପରସ୍ପରଠାରୁ ଦୂରେଇ ରଖିବେ ସେ ନେଇ ହୋଟେଲ ଏବଂ ରେଷ୍ଟୁରାଣ୍ଟଗୁଡିକ ସଚେତନତା ସୃଷ୍ଟି କରିବାକୁ ପରାମର୍ଶ ଦିଆଯାଇଛି।
ଏଥିସହିତ ସହରଗୁଡିକରେ ଚଳାଚଳ କରୁଥିବା ଟ୍ୟାକ୍ସି, ଅଟୋ ରିକ୍ସା ଉପରେ ମଧ୍ୟ କଟକଣା ରଖାଯାଇଛି। ନୂଆଦିଲ୍ଲୀରେ ଲାଗୁ ହୋଇଥିବା ଅଡ୍‌ ଆଣ୍ଡ ଇଭିନ୍‌ ନମ୍ବର ଭଳି ଟ୍ୟାସ୍କି ଏବଂ ଅଟୋ ରିକ୍ସାଗୁଡିକ ରୋଟେଶନ ବେସିସ୍‌ରେ ଦିନେ ଛାଡି ଦିନେ ଚଳାଚଳ କରିବେ। ସମ୍ପୃକ୍ତ ପୌରାଞ୍ଚଳ କର୍ତ୍ତୃପକ୍ଷମାନେ ଏହାକୁ ରେଗୁଲେଟ କରିବେ। ଏଥିସହିତ ହାଟ, ଗ୍ରାମାଞ୍ଚଳ ହାଟ, ଶପିଂ କମ୍ପ୍ଲେକ୍ସଗୁଡିକରେ କେବଳ ଖାଦ୍ୟ ସାମଗ୍ରୀ ଯଥା ତେଜରାତି, ପନିପରିବା, ମାଛ, ଚିକେନ, ମଟନ୍‌, ଅଣ୍ଡା ଏବଂ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ବିକ୍ରି ହେବ ।
ଗୋଟିଏ ଜାଗାରେ ୭ ଜଣରୁ ଅଧିକ ଲୋକ ଯେପରି ଏକାଠି ହୋଇ ନ ପାରିବେ ସେ ନେଇ ପଦକ୍ଷେପ ନେବାକୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସମସ୍ତ ମହାନଗର ନିଗମ କମିଶନର, ପୋଲିସ କମିଶନର, ଜିଲାପାଳଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

Share