ରୋକାଗଲା ବାଲ୍ୟ ବିବାହ, ଫେରିଗଲେ ବର

ବାହାନଗା,୧୬ା୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ଅଞ୍ଚଳରେ ବାଲ୍ୟ ବିବାହ ରୋକିବାକୁ ଆସିଥିବା ଖଇରାସ୍ଥିତ ଚାଇଲ୍ଡଲାଇନ କର୍ମକର୍ତ୍ତା ହରଡଘଣାରେ ପଡିଛନ୍ତି। ଏନେଇ କର୍ମକର୍ତ୍ତାମାନେ ଖନ୍ତାପଡା ଥାନାରେ ଅଭିଯୋଗ ହେବା ପରେ ପୋଲିସ୍‌ ଏଥିରେ ହସ୍ତକ୍ଷେପ କରିଥିଲା। ଫଳରେ ବିବାହ କରିବାକୁ ଆସିଥିବା ବର ବରଯାତ୍ରୀ ନେଇ ଫେରିଯାଇଥିଲେ।
ଏହି ଅଞ୍ଚଳର ଜଣେ ନାବାଳିକା (୧୭ବର୍ଷ ୨ ଦିନ)ଙ୍କର ବିବାହ ଖଇରା ଥାନା ଡାଲଙ୍ଗ ଗ୍ରାମ ନିକଟସ୍ଥ ତୁଡିଗଡିଆ ଅଞ୍ଚଳର ଶରତ କୁମାର ମହାରଣା(୩୫)ଙ୍କ ସହ ସ୍ଥିର ହୋଇଥିଲା। ଶୁକ୍ରବାର ରାତିରେ ବିବାହ ପାଇଁ ନାବାଳିକାଙ୍କ ପରିବାର ପକ୍ଷରୁ ସମସ୍ତ ଆୟୋଜନ ହୋଇସାରିଥିଲା। ଖବରପାଇ ଖଇରାସ୍ଥିତ ଚାଇଲ୍ଡଲାଇନ ଉପକେନ୍ଦ୍ରର ନିର୍ଦ୍ଦେଶକ ମଦନମୋହନ ବେହେରାଙ୍କ ନିର୍ଦ୍ଦେଶକ୍ରମେ ଟିମ୍‌ ଲିଡର ତପସ୍ବିନୀ ରାଉତ, ଟିମ୍‌ ସଭ୍ୟ ପଞ୍ଚାନନ ତ୍ରିପାଠୀ, ଜ୍ୟୋତିପ୍ରକାଶ କର, ଚିତ୍ତରଞ୍ଜନ ପଣ୍ଡା ପ୍ରମୁଖ ଗୋପାଳପୁର ଫାଣ୍ଡି ପୋଲିସ ଓ କେତେକ ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ନାବାଳିକାଙ୍କ ଘର ପାଖରେ ରାତି ସାଢେ ୭ଟାରେ ପହଞ୍ଚିଥିଲେ । ଏହି ସମୟରେ ନାବାଳିକା ଘର ପାଖରେ ଗ୍ରାମବାସୀ ଭୋଜି ଖାଇବା ପାଇଁ ପ୍ରସ୍ତୁତ ହେଉଥିଲେ। ଚାଇଲ୍ଡଲାଇନ କର୍ମଚାରୀ ସ୍ଥାନୀୟ ଲୋକଙ୍କୁ ଏଠାରେ ବାଲ୍ୟ ବିବାହ ହେଉଥିବା ବାବଦରେ ପଚାରିବା ସହ ବନ୍ଦ କରିବା ପାଇଁ କହିବାରୁ ଉପସ୍ଥିତ ଲୋକଙ୍କ ଆକ୍ରୋଶରେ ଶିକାର ହୋଇଥିଲେ। ଲୋକେ କର୍ମଚାରୀମାନଙ୍କୁ ଗାଳିଗୁଲଜ କରିବା ସହିତ ବାନ୍ଧିବାକୁ ଉଦ୍ୟମ କରିବାରୁ ସେମାନେ ସେଠାରୁ ପଳାଇ ଆସି ଖନ୍ତାପଡା ଥାନାରେ ଅଭିଯୋଗ କରିଥିଲେ। ତେବେ ରାତିରେ ବର ବିବାହ ପାଇଁ ଆସିବାରୁ ଗୋପାଳପୁର ଫାଣ୍ଡି ପୋଲିସ ଓ ଖନ୍ତାପଡା ଥାନା ପୋଲିସ ପହଞ୍ଚି ବରଘର ଲୋକମାନଙ୍କୁ ବୁଝାଇବା ସହିତ ବିବାହ ନ କରିବା ପାଇଁ ବାରଣ କରିଥିଲେ ା ବିବାହ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଉଭୟ ପକ୍ଷଙ୍କ ନାମରେ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ। କାଗଜପତ୍ର ଅନୁଯାୟୀ ନାବାଳିକାଙ୍କ ବର୍ତ୍ତମାନର ବୟସ ୧୭ବର୍ଷ ୨ ଦିନ ହୋଇଥିବାରୁ ବିବାହ କରିବା ଆଇନ ବିରୋଧୀ। ତେଣୁ ୧୮ବର୍ଷ ହେଲେ ବିବାହ କରିପାରିବ ବୋଲି ପୋଲିସ ବୁଝାଇବା ପରେ ବିବାହ କରିବାକୁ ଆସିଥିବା ଯୁବକ ଶିଶୁପାଳ ହୋଇ ଫେରି ଯାଇଥିଲେ। କେତେକ ଗଣମାଧ୍ୟମ ପ୍ରତିନିଧିମାନେ ଘଟଣାସ୍ଥଳକୁ ଯାଇ ଫଟୋ ଉଠାଉଥିବା ବେଳେ ସେମାନେ ମଧ୍ୟ ଗ୍ରାମବାସୀଙ୍କ ଆକ୍ରୋଶରେ ଶିକାର ହୋଇଥିଲେ ।