ଫରିଦାବାଦ,୨୫।୮: ବଡଖଲ ଫ୍ଲାଇ ଓଭର ନିକଟରେ ଦିଲ୍ଲୀ-ମୁମ୍ବାଇ ସେଣ୍ଟ୍ରାଲ ରାଜଧାନୀ ଏକ୍ସପ୍ରେସରେ ଦୁର୍ଘଟଣା ହେବାରୁ ଜଣେ ବ୍ୟକ୍ତିଙ୍କର ଦୁଇଟି ଯାକ ଗୋଡ଼ କଟିଯାଇଥିଲା। ତାଙ୍କୁ ତୁରନ୍ତ ନିକଟରେ ଥିବା ବିକେ ସିଭିଲ୍ ହସ୍ପିଟାଲକୁ ନିଆଯାଇଥିଲା। ହେଲେ ସେଠାରେ ଥିବା ମେଡିକାଲ କର୍ମଚାରୀ ସମ୍ବେଦନଶୀଳତାର ସବୁ ସୀମା ଟପି ଯାଇଥିଲେ। ରକ୍ତ ଜୁଡୁବୁଡୁ ରୋଗୀଙ୍କୁ ଷ୍ଟ୍ରେଚରରେ ନେଇ ଯିବା ସମୟରେ ତକିଆ ନ ମିଳିବାରୁ କର୍ମଚାରୀମାନେ ତାଙ୍କ କଟା ଗୋଡ଼କୁ ରୋଗୀଙ୍କ ମୁଣ୍ଡତଳେ ଦେଇ ଦେଇଥିଲେ। ଏହି ଘଟଣା ଲୋକ ଲୋଚନକୁ ଆସିବା ପରେ ମେଡିକାଲ କର୍ତ୍ତୁପକ୍ଷ ଏ ନେଇ ମୁହଁ ଖୋଲି ନାହାଁନ୍ତି। ସୂଚନାଯୋଗ୍ୟ, ଭୁଣ୍ଡ କଲୋନୀରେ ରହୁଥିବା ପ୍ରଦୀପ(୪୨) ନାମକ ଜଣେ ବ୍ୟକ୍ତି ଏକ ଫ୍ୟାକ୍ଟ୍ରିରେ କାମ କରନ୍ତି। ତେବେ ଫ୍ୟାକ୍ଟ୍ରି ଯିବା ସମୟରେ ସେ ତରବର ହୋଇ ବଡଖଲ ଫ୍ଲାଇଓଭର ନିକଟରେ ରେଲଓ୍ବେ ଟ୍ରାକ୍ ପାରି ହେଉଥିବା ସମୟରେ ଟ୍ରେନ୍ ଆସି ଯିବାରୁ ତାଙ୍କର ୨ଟି ଯାକ ଗୋଡ କଟି ଯାଇଥିଲା। ଆଉ ହସ୍ପିଟାଲ ନେବା ବେଳେ ତାଙ୍କୁ ସେଠାରେ ଷ୍ଟ୍ରେଚରରେ ନେଉଥିବା ସମୟରେ କର୍ମଚାରୀମାନଙ୍କ ଏଭଳି କାର୍ଯ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା।