ରୋଗୀଙ୍କ ମୃତ୍ୟୁକୁ ନେଇ ପିଆରଏମ୍‌ ମେଡିକାଲରେ ଉତ୍ତେଜନା

ବାରିପଦା ଅଫିସ, ୧୦।୩(ଡି.ଏନ.ଏ.)-ମୟୂରଭଞ୍ଜ ଜିଲା ପିଆରଏମ୍‌ ମେଡିକାଲରେ ଭୁଲ ଚିକିତ୍ସା ଯୋଗୁ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ସମ୍ପର୍କୀୟମାନେ ପ୍ରତିବାଦରେ ଭଙ୍ଗାରୁଜା କରିଥିଲେ। ଏହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ମୃତକ ହେଲେ ବାରିପଦା ସହର ପୁରୁଣାହାଟ ସାହିର ମମତା ବିଶ୍ବାଳ।

ପିଆରଏମ୍‌ ମେଡିକାଲର ମହିଳା ମେଡିସିନ ବିଭାଗରେ ମମତା ୬ଦିନ ହେବ ମ୍ୟାଲେରିଆରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ମଙ୍ଗଳବାର ମଧ୍ୟାହ୍ନ ୧୨ଟା ବେଳେ ମମତା ଅଧିକ ଅସୁସ୍ଥ ହୋଇପଡିବାରୁ ତାଙ୍କ ପରିବାର ଲୋକେ ତୁରନ୍ତ ଡ୍ୟୁଟିରେ ଥିବା ଡାକ୍ତର ଏବଂ ନର୍ସଙ୍କୁ ଡାକିଥିଲେ। ବାରମ୍ବାର ଅନୁରୋଧ କରିବା ସତ୍ତ୍ବେ ତାଙ୍କୁ ଚିକିତ୍ସା କରାଯିବାରେ ବିଳମ୍ବ କରାଯାଇଥିଲା। ବହୁ କାକୁତି ମିନତି ହେବା ପରେ ଡାକ୍ତର ଆସି ତରବରିଆ ଭାବେ ରୋଗୀଙ୍କୁ ଏକ ଇଞ୍ଜେକଶନ ଦେଇଥିଲେ। ସେ ଇଞ୍ଜେକ୍ସନ ଦେବା ପରେ ରୋଗୀ ଯନ୍ତ୍ରଣାରେ ଛଟପଟ ହୋଇ ମୃତ୍ୟୁବରଣ କରିଥିଲେ। ଯାହାକୁ ନେଇ ତାଙ୍କ ପରିବାରଲୋକଙ୍କ ମଧ୍ୟରେ ପ୍ରତିକ୍ରୟା ପ୍ରକାଶ ପାଇଥିଲା। ବାରିପଦା ଟାଉନଥାନା ପୋଲିସ ପହଞ୍ଚି ଉକ୍ତ ଲୋକଙ୍କୁ ବୁଝାଶୁଝା କରିବା ସହ ତଦନ୍ତ ଆରମ୍ଭ କରିଛି।

Share