ରୋଗୀ ଆଣି ଆସୁଥିବା ବେଳେ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ: ଟ୍ରକ୍‌କୁ ଧକ୍କା ଦେଇ ବାଇକ୍‌କୁ ପିଟିଲା, ୭ ଗୁରୁତର

ସମ୍ବଲପୁର,୨୮।୬(ବ୍ୟୁରୋ): ସମ୍ବଲପୁର-ଅନୁଗୋଳ ଜାତୀୟ ରାଜପଥ ୫୫ ହାତୀବାରୀ ଛକଠାରେ ଶୁକ୍ରବାର ରୋଗୀ ଆଣି ଆସୁଥିବା ଏକ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ୭ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଜିଲା ସଦର ଡାକ୍ତରଖାନାରେ ଚିକିତ୍ସା କରାଯାଉଥିବା ବେଳେ ଗୁରୁତର ୩ଜଣଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ତେବେ ଆମ୍ବୁଲାନ୍ସଟି ରେଢ଼ାଖୋଲରୁ ସମ୍ବଲପୁର ଜିଲା ଡାକ୍ତରଖାନାକୁ ରୋଗୀ ନେଇ ଆସୁଥିବା ବେଳେ ଉକ୍ତ ସ୍ଥାନରେ ସମ୍ବଲପୁରରୁ କଟକ ଆସୁଥିବା ଏକ ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ସମୟରେ ଆମ୍ବୁଲାନ୍ସଟି ନିକଟରେ ଯାଉଥିବା ଏକ ବାଇକ୍‌କୁ ମଧ୍ୟ ଧକ୍କା ଦେଇଥିଲା। ଫଳରେ ଆମ୍ବୁଲାନ୍ସ କର୍ମଚାରୀ, ରୋଗୀ ଓ ବାଇକ୍‌ରେ ଯାଉଥିବା ଦୁଇଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି।

Share