ରୋଗୀ ଚିକିତ୍ସାରେ ଅବହେଳା: ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଉତ୍ତେଜନା

ରସୁଲପୁର,୨୬।୨(ଡି.ଏନ୍‌.ଏ.): ରସୁଲପୁର ବ୍ଲକ ଅନ୍ତର୍ଗତ ପ୍ରମୁଖ ଡାକ୍ତରଖାନା ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତର ରୋଗୀ ଚିକିତ୍ସାରେ ଅବହେଳା ଯୋଗୁ ରୋଗୀ ଅଭିଭାବକ ଓ ଡାକ୍ତର ମୁହାଁମୁହିଁ ହୋଇଛନ୍ତି। ଏହାକୁ ନେଇ ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା ଦେଖାଦେଇଛି। ଏ ସଂପର୍କରେ ଡାକ୍ତରଙ୍କ ପକ୍ଷରୁ ଥାନାରେ ଅଭିଯୋଗ କରାଯିବା ପରେ କୁଆଖିଆ ଥାନା ପୋଲିସ ପହଞ୍ଚତ୍ ରୋଗୀଙ୍କୁ ଡାକ୍ତରଖାନାରୁ ଉଦ୍ଧାର କରି ଚିକିତ୍ସା ପାଇଁ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ଉକ୍ତ ଘଟଣା ସମ୍ପର୍କରେ ରୋଗୀଙ୍କ ବାପା କୁଆଖିଆ ଥାନାରେ ଅଭିଯୋଗ କରିଛନ୍ତି। ହେଲେ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଏନେଇ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ପୋଲିସ ସୂତ୍ରରୁ ଜଣାପଡିଛି।
ଘଟଣାରୁ ପ୍ରକାଶ ଯେ ଯାଜପୁର ବ୍ଲକ ବେରୁଦା ପଂଚାୟତ ଚିନ୍ତାପଲ୍ଲୀ ଗ୍ରାମର ଅଜୟ ଜେନା ତାଙ୍କର ସାନଭାଇ ପୁଅ ସତ୍ୟଜିତ୍‌ ଜେନା (୮) ଆଘାତପ୍ରାପ୍ତ ହୋଇ ଚିକିତ୍ସା ପାଇଁ ଏହି ଡାକ୍ତରଖାନାକୁ ନେଇଥିଲେ। ଏହି ସମୟରେ ଡାକ୍ତର ବିଶ୍ୱରଞ୍ଜନ କର ଡିୟୁଟିରେ ଥିଲେ। ସେ ତାଙ୍କ ରୋଗୀ ଶିଶୁପୁତ୍ରର ସ୍ବାସ୍ଥ୍ୟ ପରୀକ୍ଷା କରିବା ବଦଳରେ ମୋବାଇଲରେ କଥା ହେଉଥିଲେ। ଏହାକୁ ପ୍ରତିବାଦ କରିବାରୁ ଡାକ୍ତର ଓ ରୋଗୀର ବଡବାପାଙ୍କ ମଧ୍ୟରେ କଥାକଟାକଟି ହୋଇଥିଲା। ଉଭୟଙ୍କ ମଧ୍ୟରେ ବଚସାକୁ ଶୁଣି ସେଠାରେ ଉପସ୍ଥିତ ଥିବା କେତେକ ସ୍ଥାନୀୟ ଲୋକେ ହସ୍ତକ୍ଷେପ କରିଥିଲେ। ଏହି ଅବସରରେ ଡାକ୍ତର କୁଆଖିଆ ଥାନାକୁ ଫୋନ କରି ଜଣାଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଁଚି ରୋଗୀକୁ ଉଦ୍ଧାର କରି ଅନ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇଥିଲେ। ଏ ନେଇ ଡାକ୍ତର କରଙ୍କୁ ପଚାରିବାରୁ ସେ ସତ୍ୟଜିତଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ମାତ୍ର ତାଙ୍କର ସେଭଳି କିଛି ବିଶେଷ ଅସୁବିଧା ହୋଇ ନ ଥିଲା। ତାଙ୍କୁ ଡାକ୍ତରଖାନାରୁ ଔଷଧ ନେଇ ଚାଲିଯିବାକୁ ପରାମର୍ଶ ଦେଇଥିଲେ ବୋଲି କର କହିଛନ୍ତି।