Categories: ରାୟଗଡା

ରୋଗୀ ମୃତ୍ୟୁକୁ ନେଇ ରାୟଗଡ଼ା ମେଡିକାଲ ପରିସରରେ ଉତ୍ତେଜନା

ରାୟଗଡ଼ା ଅଫିସ,୧୫ା୬: ଚିକିତ୍ସା ଅବହେଳାରୁ ଜଣେ ରୋଗୀଙ୍କ ମୃତ୍ୟୁକୁ ନେଇ ସୋମବାର ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ପ୍ରକାଶ ପାଇଛି। ଘଟଣାରୁ ପ୍ରକାଶ ଯେ, ରାୟଗଡ଼ା ଜିଲା ଚାନ୍ଦିଲି ଥାନା ଅଧୀନ ନାୟଡ଼ୁପେଟା ଅଞ୍ଚଳର ସୀମାଞ୍ଚଳ ସଗଡ଼ିଆ କୌଣସି କାରଣରୁ ଘରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପରିବାର ଲୋକେ ଚିକିତ୍ସା ପାଇଁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଡାକ୍ତରଖାନା ନେବା ସମୟରେ ସଗଡିଆ ଜୀବିତ ଥିବାବେଳେ ଉପଯୁକ୍ତ ଚିକିତ୍ସା ନ କରିବାରୁ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ସେମାନେ ଡାକ୍ତରଖାନାରେ ଚେୟାର ଟେବୁଲ ଫୋପଡା ଫିଙ୍ଗା କରିଥିଲେ। ମୃତଦେହ ବାହାରେ ରଖି ମେଡିକାଲ ପରିସରରେ ଦୀର୍ଘ ସମୟ ଧରି ପାଟିତୁଣ୍ଡ କରିଥିଲେ। ୨ଘଣ୍ଟା ପରେ ପୁଣି ମୃତଦେହ ମେଡିକାଲ ଭିତରକୁ ନେଇ ଚିକିତ୍ସା ପାଇଁ ଡାକ୍ତରଙ୍କୁ କହିଥିଲେ। ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର କହିବାରୁ ଡାକ୍ତରଖାନା ପରିସରରେ ପୁଣି ପାଟିତୁଣ୍ଡ କରିଥିଲେ। ଖବରପାଇ ଟାଉନ ଥାନା ପୋଲିସ ପହଞ୍ଚତ୍ ସେମାନଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।