ବ୍ରହ୍ମପୁର ବଡ଼ ମେଡିକାଲ ରୋଗୀ ସମ୍ପର୍କୀୟ, ଡାକ୍ତର ହାତାହାତି: ଉତ୍ତେଜନା, ପୋଲିସ ମୁତୟନ

ବ୍ରହ୍ମପୁର ଅଫିସ ,୯ା୯ – ବ୍ରହ୍ମପୁର ବଡ଼ ମେଡିକାଲରେ ସୋମବାର ରାତିରେ ଚିକିତ୍ସାରେ ଅବହେଳା ଅଭିଯୋଗରେ ରୋଗୀଙ୍କ ସମ୍ପର୍କୀୟ ଓ ଡାକ୍ତରଙ୍କ ମଧ୍ୟରେ ହାତାହାତି ହୋଇଛିି। ଫଳରେ ସେଠାରେ ଉତ୍ତେଜନା ଦେଖାଦେଇଛି। ଖବର ଲେଖାହେବା ସୁଦ୍ଧା ରୋଗୀଙ୍କ ସମ୍ପର୍କୀୟଙ୍କ ସହ ମେଡିକାଲ କର୍ତ୍ତୃପକ୍ଷ ଆଲୋଚନା ଜାରି ରଖିଥିଲେ।କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତିର ମୁକାବିଲା ପାଇଁ ମେଡିକାଲ ପରିସରରେ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଡାକ୍ତରଙ୍କ ଅଭିଯୋଗ କ୍ରମେ ବୈଦ୍ୟନାଥପୁର ଥାନାରେ ଏକ ମାମଲା ରୁଜୁ ହୋଇଛି ବୋଲି ଏଏସ୍‌ପି ପ୍ରଶାନ୍ତ କୁମାର ମିଶ୍ର ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ଗତ ୬ ତାରିଖରୁ ଗଜପତି ଜିଲା ଅଡବା ଅଞ୍ଚଳର ବାସନ୍ତୀ ନାୟକ ବଡ଼ ମେଡିକାଲ ସୁପର ସ୍ପେସାଲିଟି ସର୍ଜରୀ ୱାର୍ଡରେ ଚିକିତ୍ସିତ ହେଉଛନ୍ତି। ଚିକତ୍ସାରେ ଅବହେଳା କରାଯାଉଛି ବୋଲି ତାଙ୍କର ଜଣେ ସମ୍ପର୍କୀୟ ଅଭିଯୋଗ କରିଥିଲେ। ଏହାକୁ ନେଇ ରୋଗୀ ସମ୍ପର୍କୀୟ ଓ ଡାକ୍ତରଙ୍କ ମଧ୍ୟରେ ସୋମବାର ରାତିରେ କଥା କଟାକଟି ଓ ପରେ ହାତାହାତି ହୋଇଥିଲା। ଖବରପାଇ ଏଏସ୍‌ପି ପ୍ରଶାନ୍ତ କୁମାର ମିଶ୍ର, ବ୍ରହ୍ମପୁର ଏସ୍‌ଡ଼ିପିଓ ବିଷ୍ଣୁପ୍ରସାଦ ପତି, ବୈଦ୍ୟନାଥପୁର ଥାନାଧିକାରୀ ସାରଦା ପ୍ରସନ ଦାସ, ମେଡିକାଲ ସୁପେରଣ୍ଟେଣ୍ଡେଣ୍ଟ ଡା.ଚରଣ ପଣ୍ଡା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚତ୍ ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି। ଡାକ୍ତରମାନେ ମେଡିକାଲ ପରିସରରେ ଏକତ୍ରିତ ହୋଇଛନ୍ତି।