ରୋଗ ଚିହ୍ନଟ ନ ହୋଇ ପୁଅଙ୍କ ମୃତ୍ୟୁ ହେବାରୁ ମା’ ହେଲେ ଡାକ୍ତରାଣୀ: ମାଗଣାରେ କରୁଛନ୍ତି ଚିକିତ୍ସା

ମିରଟ,୨୯।୧୦: ସବୁ ଦୁଃଖ, କଷ୍ଟ ଓ ବିପଦରୁ ନିଜ ପିଲାଙ୍କୁ ଘଣ୍ଟ ଘୋଡାଇ ରଖିଥାଏ ମା’। କିନ୍ତୁ ପିଲାକୁ ଟିକେ ଆଘାତ ଲାଗିଲେ ସେ ଭାଙ୍ଗିପଡ଼େ। ହେଲେ ଉତ୍ତରପ୍ରଦେଶ ମିରଟର ରେଲଓ୍ବେ ରୋଡରେ ରହୁଥିବା ଜଣେ ଏଭଳି ମା’ ଅଛନ୍ତି ଯିଏ ପୁଅର ମୃତ୍ୟୁ ପରେ ନ ଭାଙ୍ଗି ସମସ୍ତଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ସୂଚନାଯୋଗ୍ୟ, ରେଲଓ୍ବେ ରୋଡ ଥାନା ଅଞ୍ଚଳର ରାମକୁଟିରରେ ଡା. ମଞ୍ଜୁ ମିତ୍ତଲ ସ୍ବାମୀ ସତେନ୍ଦ୍ର ମିତ୍ତଲ ଓ ୨ ପୁଅ ହରିତ ଓ ଲସିତ ରୁହନ୍ତି। ହେଲେ ବଡ଼ ପୁଅ ହଠାତ୍‌ ରୋଗାଗ୍ରସ୍ତ ହୋଇପଡ଼ିଥିଲେ। ଡାକ୍ତରଙ୍କୁ ଦେଖାଇବା ପରେ ମଧ୍ୟ ତାଙ୍କର ରୋଗ ଚିହ୍ନଟ ହୋଇପାରି ନ ଥିଲା। ଫଳରେ ୯ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ହରିତ୍‌ଙ୍କ ମୃତ୍ୟୁ ପରେ ମଞ୍ଜୁ ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିଲେ। ପୁଅର ମୃତ୍ୟୁ ପରେ ସେ ପ୍ରତିଜ୍ଞା କରିଥିଲେ ଯେ, ଡାକ୍ତର ହୋଇ ଲୋକଙ୍କୁ ସାହାଯ୍ୟ କରିବେ। ଏହାପରେ ମଞ୍ଜୁ ହୋମିଓପାଥି ପ୍ରାକ୍ଟିସ୍‌ କରିବା ଆରମ୍ଭ କରିଥିଲେ। ସମ୍ପୂର୍ଣ୍ଣ ଶିକ୍ଷାଲାଭ ପରେ ସେ ଦୀର୍ଘ ୨୬ ବର୍ଷ ହେଲାଣି ଲୋକଙ୍କର ଚିକିତ୍ସା ମାଗଣାରେ କରିଆସୁଛନ୍ତି। ଚିକିତ୍ସା ପାଇଁ ଉତ୍ତରାଖଣ୍ଡ, ମହାରାଷ୍ଟ୍ର, ଦିଲ୍ଲୀ, ପଞ୍ଜାବ, ହରିୟାଣା ଓ ମିରଟରୁ ଲୋକେ ଏଠାକୁ ଆସିଥାନ୍ତି। ଏଥିସହ ଯେଉଁ ରୋଗ ଏଲୋପାଥୀରେ ଠିକ୍‌ ହେଉ ନାହିଁ ସେହି ରୋଗର ଚିକିତ୍ସା ପାଇଁ ଲୋକେ ମଞ୍ଜୁଙ୍କ ପାଖକୁ ଆସିଥାନ୍ତି ବୋଲି କୁହନ୍ତି।

Share