ରୋଗ ଶଯ୍ୟାରେ ବାପା: ପଢ଼ା ଛାଡି ୨ ଶିଶୁ ଚଳାଉଛନ୍ତି ପରିବାର

ଖୋର୍ଦ୍ଧା ଅଫିସ,୨୧।୭: ରୋଜଗାରରେ ବାଧକ ସାଜିଲା ରୋଗ। କାମ ନ କରି ଫେରି ଆସିଲେ ଘରକୁ। ୬ମାସ ଧରି ରୋଗଶଯ୍ୟାରେ ପଡି ଅଭିଶପ୍ତ ଜୀବନଯାପନ କରୁଛନ୍ତି ଖୋର୍ଦ୍ଧା ଜିଲା ବାଣପୁର ବ୍ଳକ ଗୋଡିଝର ଗଁାର ପଦ୍ମ ଚରଣ ପ୍ରଧାନ(୩୫)। ରୋଗ ଯୋଗୁ ୩୫ ବର୍ଷର ଯୁବକ ବାର୍ଦ୍ଧକ୍ୟରେ ଉପନୀତ ହୋଇଛନ୍ତି। ଘରର ରୋଜଗାରକ୍ଷମ ବ୍ୟକ୍ତି ଶଯ୍ୟାଶାୟୀ ହୋଇଥିବାରୁ ଘରେ ଚୁଲି ଜଳୁନି। ପରିବାରର ସଦସ୍ୟମାନେ ୨ ଦିନ ଖାଇଲେ ଦିନେ ଉପବାସରେ ରହୁଛନ୍ତି। ଏଭଳିସ୍ଥଳେ ପଦ୍ମ ଚରଣଙ୍କ ଅଷ୍ଟମ ଓ ଷଷ୍ଠ ଶ୍ରେଣୀରେ ପାଠ ପଢୁଥିବା ଦୁଇ ଶିଶୁ ପାଠପଢ଼ା ଛାଡି ରୋଜଗାର କରିବାକୁ ବାଧ୍ୟ ହେଲେ। ସେମାନଙ୍କର ରୋଜଗାରରେ ଯଦିଓ କଷ୍ଟେମଷ୍ଟେ ଖାଇବା ଚଳିଯାଉଛି, ତେବେ ବାପାଙ୍କ ଚିକିତ୍ସା ସମ୍ଭବ ହେଉନାହିଁ। ଗଣମାଧ୍ୟମରୁ ଖବରପାଇ ଖୋର୍ଦ୍ଧା ସିଡିଏମ୍‌ଓ ପଦ୍ମଚରଣଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ ମଧ୍ୟ ପରିବାରର ଦୁଃଖ ହଟି ନାହିଁ।
ପଦ୍ମଙ୍କର ପରିବାର କହିଲେ ୨ ପୁଅ ଓ ସ୍ତ୍ରୀ। ଛୋଟ ସଂସାର ହୋଇଥିଲେ ମଧ୍ୟ ଚଳିବାକୁ ଅସୁବିଧା ହେବାରୁ ପଦ୍ମ ରାଜ୍ୟ ବାହାରକୁ କାମ କରିବାକୁ ଯାଇଥିଲେ। କିଛିଦିନ କାମ କରିବା ପରେ ଶାରୀରିକ ଅସୁସ୍ଥତା ବଢ଼ି ଚାଲିଲା। ପଦ୍ମ ଆଉ କାମ କରି ନ ପାରି ଘରକୁ ଫେରିଲେ। ନୟାଗଡ ଚାନ୍ଦପୁରର ଟିବି ହସ୍ପିଟାଲରେ ଚିକିତ୍ସିତ ହେଲେ। ହେଲେ ଚିକିତ୍ସାରେ ଉନ୍ନତି ନ ହେବାରୁ ଏମ୍‌ସକୁ ସ୍ଥାନାନ୍ତର ହେଲେ। ପରୀକ୍ଷଣ ପରେ ଜଣାଗଲା ଲିଭର କର୍କଟ। ରୋଗ ଶୁଣି ପରିବାର ସଦସ୍ୟମାନେ ଚିନ୍ତିତ ହୋଇ ପଡିଲେ। ତଥାପି ଧାର କରଜ, ଗଁାଲୋକଙ୍କ ସହାୟତାରେ ଚିକିତ୍ସା ଆରମ୍ଭ ହେଲା। ହେଲେ ଅଧିକ ଅର୍ଥର ଆବଶ୍ୟକତା ଥିବାରୁ ଚିକିତ୍ସା ଅଧାବାଟରେ ରହିଗଲା। ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଚାଲିଛି। କେବଳ ରାଶନ କାର୍ଡକୁ ଛାଡି ଦେଲେ ପଦ୍ମ ଚରଣଙ୍କ ପାଖରେ ସରକାରଙ୍କ କୌଣସି ଯୋଜନା ପହଞ୍ଚତ୍ ନାହିଁ। ଏଭଳିସ୍ଥଳେ ପଦ୍ମଚରଣଙ୍କ ପରିବାରର ଦୁଇପୁଅ, ସ୍ତ୍ରୀ ଦୁଃଖଦ ଜୀବନଯାପନ କରୁଛନ୍ତି।

Share