Categories: ଫୁରସତ

ରୋଜଗାର ଟଙ୍କାରେ ଔଷଧ କିଣୁଥିଲି: ହୋମିଓପାଥି ଡାକ୍ତର ପ୍ରେମଲତା ଦେବୀ

ହୋମିଓପାଥି ଡାକ୍ତର ତଥା ସାମାଜିକ କର୍ମୀ ପ୍ରେମଲତା ଦେବୀ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି…

ବାଣପୁର ଗମ୍ଭାରିମୁଣ୍ଡା ପଞ୍ଚାୟତ ଅଧୀନ କରଡ଼ାପଲି ଗାଁରେ ମୋର ଜନ୍ମ। ମୋ ବାପା ଡା. ନାରାୟଣ ମାନସିଂହ ଥିଲେ ଜଣେ ବିଶିଷ୍ଟ ହୋମିଓପାଥି ଡାକ୍ତର। ତାଙ୍କ ପାଖେ ରହି ମୋର ମଧ୍ୟ ହୋମିଓପାଥି ଔଷଧ ସମ୍ପର୍କରେ କିଛିଟା ଜ୍ଞାନ ହୋଇଯାଇଥିଲା। ତେବେ ବାଣପୁର ବାଳିକା ଉଚ୍ଚ ବିଦ୍ୟାଳୟରୁ ୧୯୫୫ ମସିହାରେ ମାଇନର୍‌ ପାସ୍‌ କରିବା ପରେ ୧୯୫୮ରେ ମୋ ବାହାଘର ହେଲା। କୁହୁଡି ପାଟଣାସାହିରେ ଥିଲା ମୋ ଶାଶୁଘର। ମୋ ଶ୍ୱଶୁର ରଘୁନାଥ ପରିଡ଼ା ଥିଲେ ଜଣେ ସ୍ବାଧୀନତା ସଂଗ୍ରାମୀ। ତାଙ୍କରି ପ୍ରେରଣାରେ ବାଣପୁର ଗୋପୀକାନ୍ତପୁରକୁ ଚାଲିଆସି ପୁଣି ପଢିବା ଆରମ୍ଭ କଲି। ମାଟ୍ରିକ୍‌ ଯାଏ ପଢିଲା ପରେ ହୋମିଓପାଥି ଉପରେ ଏକ କୋର୍ସ କଲି। କୋର୍ସ ସରିବା ପରଠୁ ଆଜିଯାଏ ମୁଁ ରୋଗୀମାନଙ୍କର ହୋମିଓପାଥି ଚିକିତ୍ସା କରିଆସୁଛି। ବିଶେଷକରି ପାରାଲିସିସ୍‌ ରୋଗୀଙ୍କର ଚିକିତ୍ସା କରିବାରେ ମୋର ସ୍ବତନ୍ତ୍ରତା ରହିଛି। ରୋଗୀ ସେବା କରିବା ହେଉଛି ମୋର ଧର୍ମ। ଏଥିପାଇଁ ମୁଁ କେବେ କୌଣସି ପାଉଣାକୁ ଆଶା କରେନାହିଁ। ଯିଏ ଯାହା ଖୁସିରେ ଦିଅନ୍ତି, ତାକୁ ହିଁ ଆଶୀର୍ବାଦ ଭାବି ରଖେ। ଆଉ ଯଦି କାହା ପାଖେ ପଇସାପତ୍ର ନ ଥାଏ, ତା’ହେଲେ ତାଙ୍କୁ ଆର୍ଥିକ ସହାୟତା ମଧ୍ୟ କରେ। ତେବେ ପ୍ରଥମେ ପ୍ରଥମେ ଯେବେ ରୋଗୀ ଚିକିତ୍ସା ଆରମ୍ଭ କରିଥିଲି, ସେତେବେଳେ କିଏ ମୋତେ ୨୫ ପଇସା ତ କିଏ ୫୦ ପଇସା ଦେଉଥିଲେ। ତାକୁ ମୁଁ ସାନ ଭାଇଭଉଣୀ ଓ ଦିଅରମାନଙ୍କ ମଧ୍ୟରେ ବାଣ୍ଟି ଦେଉଥିଲି। ଯଦି କେବେ କିଛି ପଇସା ବଳି ଯାଉଥିଲା, ସେଥିରେ ହୋମିଓପାଥି ଔଷଧ କିଣି ଆଣୁଥିଲି। ରୋଗୀ ସେବା ବାଦ୍‌ ୧୯୬୧ରୁ ୧୯୭୧ ମସିହା ଯାଏ ଅନ୍ତରକିଆରୀ ପଲ୍ଲୀ ନାରୀ ମଙ୍ଗଳ ମହିଳା ସମିତିର ପ୍ରେସିଡେଣ୍ଟ, ୧୯୬୭ରୁ ୧୯୮୧ ଯାଏ ବାଣପୁର ବ୍ଲକ ନନ୍ଦପୁର ଗ୍ରାମପଞ୍ଚାୟତର ସରପଞ୍ଚ, ୧୯୮୪ରୁ ୧୯୮୮ ପର୍ଯ୍ୟନ୍ତ କୃଷିଋଣ ସେବା ସମବାୟ ସମିତିର ପ୍ରେସିଡେଣ୍ଟ ଏବଂ ୧୯୯୭ରୁ ୨୦୦୨ ପର୍ଯ୍ୟନ୍ତ ବାଣପୁର ବ୍ଲକର ଚେୟାରମ୍ୟାନ୍‌ ଦାୟିତ୍ୱ ମଧ୍ୟ ତୁଲାଇଥିଲି। ଆଗରୁ ରୋଗୀମାନଙ୍କ ଘରକୁ ଯାଇ ରୋଗୀ ସେବା କରୁଥିଲି କିନ୍ତୁ ବୟସ ବଢିବାରୁ ଆଉ ଯାଇପାରୁନି। ଏବେ ଘରେ ଗୋଟିଏ କ୍ଲିନିକ୍‌ ଖୋଲି ରୋଗୀ ସେବା କରୁଛି। ଜୀବନରେ ଆଗକୁ ବଢିବା ପାଇଁ ମୋ ବାପା ଓ ଶ୍ୱଶୁରଙ୍କ ସମେତ ମୋ ବୋଉ ନିଶାମଣି ଦେବୀ, ଶାଶୁ ଛାୟାମଣି ଦେବୀ ଓ ସ୍ବାମୀ ଦେବେନ୍ଦ୍ରନାଥ ପରିଡାଙ୍କର ମଧ୍ୟ ବିଶେଷ ଭୂମିକା ରହିଥିଲା। ଆଉ ଭଗବାନଙ୍କ ଆଶୀର୍ବାଦରୁ ଏବେ ମୋ ପୁଅ ଓ ନାତୁଣୀ ମଧ୍ୟ ରୋଗୀ ସେବାକୁ ଜୀବନର ଧର୍ମ ବୋଲି ମାନି ନେଇଛନ୍ତି।

Share