Categories: ଖେଳ

ରୋଜର୍ସ କପ୍‌ ଫାଇନାଲରେ ନାଡାଲ

ମଣ୍ଟ୍ରିଲ,୧୧।୮(ଏଏଫ୍‌ପି): ସ୍ପେନ୍‌ ତାରକା ଟେନିସ ଖେଳାଳି ରାଫାଲ ନାଡାଲ ଏଠାରେ ଚାଲିଥିବା ମଣ୍ଟ୍ରିଲ ମାଷ୍ଟର୍ସ ଟେନିସ୍‌ ବା ରୋଜର୍ସ କପ୍‌ ଟୁର୍ନାମେଣ୍ଟର ପୁରୁଷ ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ସେମିଫାଇନାଲରେ ଗୋଟିଏ ହେଲେ ବି ଶଟ୍‌ ନ ଖେଳି ସେ ଫାଇନାଲକୁ ଉଠିଛନ୍ତି। ବିଶ୍ୱର ୨ ନମ୍ବର ଖେଳାଳି ନାଡାଲ ଏଥି ସହିତ କ୍ରମାଗତ ଦ୍ୱିତୀୟଥର ପାଇଁ କାଡ଼ାଡିଆନ ଓପନ୍‌ ଟାଇଟଲ ହାସଲ ଲକ୍ଷ୍ୟରେ ରହିଛନ୍ତି। ଫାଇନାଲରେ ନାଡାଲ ରବିବାର ରୁଷିଆର ଡାନିଲି ମେଡଭେଡେଭଙ୍କୁ ଭେଟିବେ। ଅନ୍ୟ ଏକ ସେମିଫାଇନାଲରେ ମେଡଭେଡେଭ ନିଜ ଦେଶର କାରେନ ଖାଚାନୋଭଙ୍କୁ ୬-୧, ୭-୬ ସେଟ୍‌ରେ ହରାଇ ଫାଇନାଲରେ ପ୍ରବେଶ କରିଛନ୍ତି।
ଟୁର୍ନାମେଣ୍ଟରେ ଟପ୍‌ ସିଡ ମାନ୍ୟତା ପାଇଥିବା ନାଡାଲ ବିନା ମ୍ୟାଚ୍‌ ଖେଳିବାରେ ଟାଇଟଲ ମୁକାବିଲା ଖେଳିବାକୁ ଓ ଗୋଟିଏ ଦିନ ଅତିରିକ୍ତ ବିଶ୍ରାମ ପାଇବାର ସୁଯୋଗ ପାଇଛନ୍ତି। ଗୋଇଠିରେ ଆଘାତ ପାଇବା କାରଣରୁ ମନଫିଲ୍ସ ସେମିଫାଇନାଲ ମ୍ୟାଚ୍‌ରୁ ଓହରିଯାଇଥିଲେ। ଫଳରେ ନାଡାଲ ସିଧାସଳଖ ଓ୍ବାକ୍‌ ଓଭର ପାଇ ଫାଇନାଲରେ ପ୍ରବେଶ କରିଥିଲେ। ତେବେ ଏହାର କିଛି ସମୟ ପୂର୍ବରୁ ମନଫିଲ୍ସ କ୍ୱାର୍ଟର ଫାଇନାଲରେ ସ୍ପେନ୍‌ର ରୋବେର୍ଟୋ ବତିସ୍ତା ଅଗୁଟଙ୍କୁ ୬-୪, ୩-୬, ୭-୬ ସେଟରେ ପରାସ୍ତ କରି ସେମିକୁ ଉଠିଥିଲେ। ଅବଶ୍ୟ ବର୍ଷା ଯୋଗୁ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ ଆରମ୍ଭ ହେବାରେ ବିଳମ୍ବ ହୋଇଥିଲା।
ଏଥି ସହିତ ୧୮ଟି ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଥିବା ନାଡାଲ କ୍ୟାରିୟରର ୫୧ତମ ଏଟିପି ମାଷ୍ଟର୍ସ ୧୦୦୦ ଫାଇନାଲରେ ପ୍ରବେଶ କରିଛନ୍ତି। ପ୍ରଥମଥର ପାଇଁ ନାଡାଲ ଓ ମେଡଭେଡେଭ ମୁହଁାମୁହିଁ ହେବାକୁ ଯାଉଛନ୍ତି। ନାଡାଲ ପୂର୍ବରୁ ଏହି ଟୁର୍ନାମେଣ୍ଟରେ ୪ଥର ଟାଇଟଲ ହାସଲ କରିଛନ୍ତି। ଫାଇନାଲରେ ବିଜୟୀ ହେଲେ ସେ ୩୫ତମ ଏଟିପି ୧୦୦୦ ମାଷ୍ଟର୍ସ ଟାଇଟଲ ଅର୍ଜନ କରିବେ। ବୁଧବାର ଅନ୍ୟଏକ ସେମିଫାଇନାଲ ମ୍ୟାଚ୍‌ରେ ନାଡାଲ ଇଟାଲୀର ଫାବିଓ ଫୋଗନିନିଙ୍କୁ ୨-୬, ୬-୧, ୬-୨ ସେଟରେ ହରାଇ ସେମିକୁ ଉଠିଥିଲେ। ନିଜ ପ୍ରଦର୍ଶନରେ ନାଡାଲ ସନ୍ତୋଷ ପ୍ରକଟ କରିଛନ୍ତି।

Share