ରୋଜ୍‌ଭ୍ୟାଲି ଚିଟ୍‌ଫଣ୍ଡ ମାମଲା: ହାଇକୋର୍ଟରେ ସିବିଆଇର ଚାର୍ଜଶିଟ୍‌ ଦାଖଲ

କଟକ ଅଫିସ, ୨୨ା୮: ରୋଜଭ୍ୟାଲି ଚିଟ୍‌ଫଣ୍ଡ ମାମଲାର ଶୁଣାଣି ବୁଧବାର ହାଇକୋର୍ଟରେ ହୋଇଥିଲା। ଏଥିରେ ସିବିଆଇ ଚାର୍ଜଶିଟ୍‌ ଦାଖଲ କରିଛି। ତେବେ ତଦନ୍ତରୁ କ’ଣ ମିଳିଛି ସେ ସମ୍ପର୍କରେ ସିବିଆଇ ହାଇକୋର୍ଟଙ୍କୁ କୌଣସି ସୂଚନା ଦେଇନାହିଁ। ଅନ୍ୟପକ୍ଷରେ ଗତ ୩ମାସ ଧରି ସିବିଆଇ ଯେଉଁ ତଦନ୍ତ କରିଛି ଓ ତଦନ୍ତରୁ କ’ଣ ପ୍ରମାଣ ପାଇଛି ତାହାକୁ ପ୍ରକାଶ କରିବା ଲାଗି ଅଭିଯୁକ୍ତ ଶ୍ରୀକାନ୍ତ ମୋହତାଙ୍କ ଓକିଲ ସୌରଚନ୍ଦ୍ର ମହାପାତ୍ର ଯୁକ୍ତି ବାଢ଼ିଥିଲେ। ବିଚାରପତି ଜଷ୍ଟିସ୍‌ ଏସ୍‌.କେ. ସାହୁ ଉକ୍ତ ମାମଲାର ଶୁଣାଣି କରି ତଦନ୍ତରେ ମିଳିଥିବା ନୂଆ ପ୍ରମାଣ ଦାଖଲ କରିବାକୁ ସିବିଆଇକୁ କହିଥିଲେ। ମାତ୍ର ସିବିଆଇ ଉକ୍ତ ପ୍ରମାଣ ଆଣି ନ ଥିଲା। ପରେ ଆସନ୍ତା ୨୮ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ବିଚାରପତି ଜଷ୍ଟିସ୍‌ ସାହୁ କହିଥିଲେ। ଉକ୍ତ ଦିନ ମାମଲାର ଶୁଣାଣି ବେଳେ ଏହି ପ୍ରମାଣ ଦାଖଲ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପକ୍ଷରେ ସ୍ବାସ୍ଥ୍ୟାବସ୍ଥା ଖରାପ ଥିବା ନେଇ ମୋହତାଙ୍କ ପକ୍ଷରୁ ଏକ ସତ୍ୟପାଠ ଦାଖଲ କରାଯାଇଥିଲା। ତେବେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ ପାଇଁ ଏସ୍‌ସିବି ମେଡିକାଲର ଏକ ଡାକ୍ତରୀ ବୋର୍ଡ ଗଠନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୨୮ରେ ହେବାକୁ ଥିବା ଶୁଣାଣି ବେଳେ ଡାକ୍ତରୀ ବୋର୍ଡର ରିପୋର୍ଟ ମଧ୍ୟ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ, ରୋଜଭ୍ୟାଲି ଚିଟ୍‌ଫଣ୍ଡର ମୁଖ୍ୟ ଗୌତମ କୁଣ୍ଡୁ ହୋଇଥିବାବେଳେ ମୋହତା ହେଉଛନ୍ତି ବଙ୍ଗଳା ଫିଲ୍ମର ପ୍ରଯୋଜକ। ରୋଜଭ୍ୟାଲି ଟିଭି ଚ୍ୟାନେଲ ଓ ମୋହତାଙ୍କ ସିନେମା ସଂସ୍ଥା ମଧ୍ୟରେ ୨୦୧୦ରେ ବ୍ୟବସାୟିକ ଚୁକ୍ତି ହୋଇଥିଲା। ଏ ବାବଦରେ ରୋଜଭ୍ୟାଲି ଜମାଖାତାରୁ ମୋହତାଙ୍କ ଆକାଉଣ୍ଟକୁ କୋଟି କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ଚିଟ୍‌ଫଣ୍ଡ ଘଟଣାର ତଦନ୍ତ କରୁଥିବା ସିବିଆଇ ଏହି ଟଙ୍କା କାରବାର ସମ୍ପର୍କରେ ମୋହତାଙ୍କୁ ପଚାରିଥିବାବେଳେ ସେ ତାହାର ସନ୍ତୋଷଜନକ ଉତ୍ତର ଦେଇ ନ ଥିଲେ। ଫଳରେ ମୋହତାଙ୍କୁ ସିବିଆଇ କୋଲକାତାରୁ ଗିରଫ କରିଥିଲା। ପରେ ମୋହତା ଭୁବନେଶ୍ୱର ସ୍ବତନ୍ତ୍ର ଏସ୍‌ଜେଏମ୍‌ କୋର୍ଟରେ ଜାମିନ ଆବେଦନ କରିଥିଲେ। ମାତ୍ର ଅଦାଲତ ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେବାରୁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

Share