ରୋଜ୍‌ ଡେ’: ଗୋଲାପ ପ୍ରେମ ବଢ଼ାଇବା ସହ ଆଣିଥାଏ ସୁନିଦ୍ରା

ଭାଲେଣ୍ଟାଇନ୍‌ ସପ୍ତାହ ରୋଜ୍‌ ଡେ’ରୁ ହିଁ ଆରମ୍ଭ ହୋଇଥାଏ। ଅର୍ଥାତ୍‌ ଫେବୃୟାରୀ ୭ରୁ ୧୪ ପର୍ଯ୍ୟନ୍ତ ଯୁବବର୍ଗ ଏହାକୁ ପାଳନ କରିଥା’ନ୍ତି। ଗୋଲାପ ମାଧ୍ୟମରେ ଆଜିର ଯୁବପିଢ଼ି ନିଜ ନିଜର ପାର୍ଟନରଙ୍କୁ ପ୍ରପୋଜ କରିଥା’ନ୍ତି। କାରଣ ପ୍ରେମର ପ୍ରତୀକ ହେଉଛି ଗୋଲାପ। ଏହା ସମସ୍ତଙ୍କୁ ଆକର୍ଷିତ କରିଥାଏ। ରୋଜ୍‌ ଡେ’ରେ ପ୍ରେମୀଯୁଗଳ ନିଜ ମନକଥା ଗୋଲାପ ଜରିଆରେ ସାଥୀ ନିକଟରେ ପ୍ରକାଶ କରିଥାନ୍ତି। କିନ୍ତୁ ଜାଣିଛନ୍ତି ଗୋଲାପ ଖାଲି ପ୍ରେମକୁ ସୁଦୃଢ଼ କରେ ନାହିଁ, ଏହା ସ୍ବାସ୍ଥ୍ୟ ପାଇଁ ମଧ୍ୟ ଅନେକ ଲାଭଦାୟକ। ଜାଣନ୍ତୁ ଏ ସମ୍ପର୍କରେ…

ଗୋଲାପକୁ ନେଇ କରାଯାଇଥିବା ଏକ ରିସର୍ଚ୍ଚରୁ ଜଣାପଡ଼ିଛି, ଏହା ସୁନିଦ୍ରା ଆଣିବା ସହ ଚେହେରାରେ ଚମକ ଆଣିଥାଏ। ଗୋଲାପର ବାସ୍ନା ପଢ଼ିବା ପାଇଁ ମନରେ ଏକାଗ୍ରତା ଆଣିଥାଏ।


ରିସର୍ଚ୍ଚ ଜର୍ନାଲ ‘ସାଇଣ୍ଟ୍‌ଫିକ୍‌ ରିପୋର୍ଟସ’ ଅନୁଯାୟୀ, ଜମାର୍ନୀର ଏକ ସ୍କୁଲରେ ପଢୁଥିବା ୫୪ ଜଣ ଛାତ୍ରୀଛାତ୍ରଙ୍କୁ ନେଇ ଏକ ଅଧ୍ୟୟନ କରାଯାଇଥିଲା। ଏଥିରେ ଯେଉଁମାନେ ଷ୍ଟଡିରୁମ୍‌ରେ ଗୋଲାପ ରଖି ପାଠ ପଢ଼ିଥିଲେ ବା ବାସ୍ନା ଶୁଙ୍ଘିଥିଲେ ସେମାନଙ୍କର ଇଂରାଜୀ ଭଲ ମନେ ରହିଥିଲା। ତେଣୁ ରାତିରେ ବିଛଣାରେ ଗୋଲାପ ବିଛାଇ ଶୋଇଲେ କିମ୍ବା ଗୋଲାପର ଧୂପକାଠି କୋଠରିରେ ଲଗାଇଲେ ମନରେ ଶାନ୍ତି ଆସିବା ସହ ସ୍ମରଣଶକ୍ତି ବଢ଼ିଥାଏ। ସାବଧାନ! ଗୋଲାପ ଅଗରବତୀ ଲଗାଇଲା ସମୟରେ ଏହା ଯେମିତି ସ୍ବାସ୍ଥ୍ୟ ପ୍ରତି କୁପ୍ରଭାବ ନ ପକାଏ। ଏଥିପାଇଁ ଯତ୍ନବାନ ହେବା ଜରୁରୀ।

Share