ରୋଡିଂଶପ୍‌ର ପ୍ରସ୍ତୁତି ଆରମ୍ଭ:ଆକର୍ଷଣ ସାଜିବ ଘାସ ତୋରଣ

ବଅଁରପାଳ, ୧୦।୯ (ଡି.ଏନ୍‌.ଏ)

ଅନୁଗୋଳ ଜିଲା ନାଲ୍‌କୋ ନଗରରେ ପ୍ରସିଦ୍ଧ ବିଶ୍ୱକର୍ମା ପୂଜାରେ ଚଳିତ ବର୍ଷ ୨୩ଟି ମଣ୍ଡପରେ ବିରାଜମାନ ହେବେ ଦେବଶିଳ୍ପୀ। ପୂଜାକୁ ଆଡ଼ମ୍ବର ସହକାରେ ପାଳନ କରିବା ପାଇଁ ଏବେଠାରୁ ନାଲକୋବାସୀ ବେଶ୍‌ ତତ୍ପର ହୋଇପଡ଼ିଛନ୍ତି। ବିଭିନ୍ନ ପୂଜା କମିଟି ପକ୍ଷରୁ ଆକର୍ଷଣୀୟ ତୋରଣ ସାଙ୍ଗକୁ ସୁସଜ୍ଜିତ ପୂଜା ମଣ୍ଡପ ଓ ମୂର୍ତ୍ତି ନିର୍ମାଣ କରାଯାଉଛି। ଚଳିତ ବର୍ଷ ରୋଡ଼ିଂଶପ୍‌-୨ ଅପରେଶନ୍‌ ବିଭାଗ ପକ୍ଷରୁ ମଣ୍ଡପକୁ ଆକର୍ଷଣୀୟ କରିବାକୁ କର୍ମକର୍ତ୍ତାମାନେ ପ୍ରସ୍ତୁତି କାର୍ଯ୍ୟରେ ଲାଗିପଡ଼ିଛନ୍ତି। ତୋରଣ ସାଜସଜ୍ଜାକୁ ସବୁଠାରୁ ଅଲଗା ତଥା ଭିନ୍ନ ଧରଣର କରିବାକୁ କମିଟି ପକ୍ଷରୁ ଉଦ୍ୟମ ଚାଲିଛି। ସମଗ୍ର ତୋରଣ ଘାସରେ କାରୁକାର୍ଯ୍ୟ କରାଯିବ ବୋଲି ଆୟୋଜକମାନେ କହିଛନ୍ତି। ସେହିପରି ଭିତର ପୂଜା ମଣ୍ଡପର ସାଜସଜ୍ଜାକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ପାହାଡ଼ ଉପରେ ମହାଦେବଙ୍କୁ ପୂଜା କରାଯାଉଥିବାର ଦୃଶ୍ୟ ଉପସ୍ଥାପନ କରାଯିବ। ମୋଟ ୬୩ ଜଣ ସଦସ୍ୟ ଏଥିରେ ସାମିଲ ହୋଇଛନ୍ତି।
ଏ ସମ୍ପର୍କରେ ପୂଜା କମିଟି କୋଅର୍ଡ଼ିନେଟର ପ୍ରତାପ କୁମାର ସାହୁ କୁହନ୍ତି, ତୋରଣକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଆମେ ଉଦ୍ୟମ କରିଛୁ। ସମସ୍ତ ତୋରଣ କାରୁକାର୍ଯ୍ୟ ଘାସରେ ନିର୍ମିତ ହେବ। ଏଥିପାଇଁ ତାମିଲନାଡ଼ୁରୁ ଘାସ ଅଣାଯିବା ପାଇଁ ବ୍ୟବସ୍ଥା କରାଯାଇଛି। ସେହିପରି ଭିତର ସାଜସଜ୍ଜାକୁ ଅଧିକ ସୁସଜ୍ଜିତ କରିବା ପାଇଁ ପ୍ରସ୍ତାବ ରଖାଯାଇଛି।
କମିଟି ସଦସ୍ୟ ଅନିଲ କୁମାର ସାହୁ କହନ୍ତି, ଚଳିତ ବର୍ଷ ଆମ ପୂଜା ନିଶ୍ଚିତ ଭାବେ ଦର୍ଶକଙ୍କର ମନମୋହିବ। ପ୍ରଥମ ଥର ପାଇଁ ତୋରଣ କାରୁକାର୍ଯ୍ୟ ଘାସରେ ନିର୍ମିତ କରାଯାଉଛି। ସେହିପରି ପ୍ରତ୍ୟେକ ଦିନ ଅନ୍ନପ୍ରସାଦର ବ୍ୟବସ୍ଥା କରାଯାଇଛି। ପ୍ରାୟ ୪ ଲକ୍ଷ ଟଙ୍କା ବ୍ୟୟରେ ମଣ୍ଡପ ତିଆରି ହେଉଛି। କାରିଗର ମାନସ କୁମାର ସାମଲ କୁହନ୍ତି, ପ୍ରତି ବର୍ଷ ପରି ଚଳିତ ବର୍ଷ ଏହି ପୂଜା ମଣ୍ଡପର ସାଜସଜ୍ଜା କାର୍ଯ୍ୟ କରୁଛି। ମଣ୍ଡପ ଓ ତୋରଣ କାରୁକାର୍ଯ୍ୟକୁ କିଭଳି ଅଧିକ ଆକର୍ଷଣୀୟ କରାଯିବ ସେଥିପାଇଁ ଚେଷ୍ଟା ଜାରି ରହିଛି।