ରୋଡ୍‌ରୋମିଓଙ୍କୁ ଧରିବେ ମହିଳା ଏସ୍‌ପିଓ

ଭୁବନେଶ୍ୱର,୩ା୧(ବ୍ୟୁରୋ): ମହିଳାଙ୍କ ସୁରକ୍ଷା ଓ ସଶକ୍ତୀକରଣ ଦିଗରେ ବଡ଼ ପଦକ୍ଷେପ ନେଇଛି କମିଶନରେଟ ପୋଲିସ। ଗୁରୁବାର ଦ୍ୱାଦଶ ପ୍ରତିଷ୍ଠା ଦିବସରେ ଗଠନ ହୋଇଛି ସ୍ବତନ୍ତ୍ର ପୋଲିସ ଅଫିସର (ଏସ୍‌ପିଓ) ଟିମ୍‌। କମିଶନରେଟ ପୋଲିସ ମୁଖ୍ୟାଳୟଠାରେ ଆୟୋଜିତ ଉତ୍ସବରେ ୨୪୬ଜଣ ଯୁବତୀ ଓ ମହିଳାଙ୍କୁ ଏସ୍‌ପିଓ ଭାବେ ନିଯୁକ୍ତିପତ୍ର ମିଳିଛି। ଏଥିସହ ସ୍ବତନ୍ତ୍ର ଜର୍ସିକୁ ଉଦ୍‌ଘାଟନ କରାଯାଇ ସେମାନଙ୍କୁ ପ୍ରଦାନ କରାଯାଇଛି।
ଏହି ଅବସରରେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ପ୍ରାଥମିକ ପର୍ଯ୍ୟାୟରେ ଏସ୍‌ପିଓମାନେ ରାଜଧାନୀର ୩୦ ଶିକ୍ଷାନୁଷ୍ଠାନ ସମେତ ଘରୋଇ ସଂସ୍ଥା ଓ ଅନ୍ୟ କେତେକ ସ୍ଥାନରେ ୩ ମାସ ପାଇଁ ନିୟୋଜିତ ରହିବେ। ସଫଳତା ଆଧାରରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ। ଏସ୍‌ପିଓମାନେ ପୋଲିସର ଆଖି-କାନ ଭଳି କାର୍ଯ୍ୟକରିବେ। କାହାକୁ ସୁରକ୍ଷା ଦରକାର, କେଉଁଠି ମହିଳାଙ୍କ ଉପରେ ଅତ୍ୟାଚାର ହେଉଛି ଏସବୁ ଦିଗରେ କଡା ନଜର ରଖିବେ। ପୋଲିସକୁ ତୁରନ୍ତ ସବୁପ୍ରକାର ସୂଚନା ଦେବା ସହ ସହାୟତାର ହାତ ବଢାଇବେ। ବିଶେଷକରି ଛାତ୍ରୀ, ଯୁବତୀ ଓ ମହିଳାଙ୍କୁ ହଇରାଣ କରୁଥିବା ଅସାମାଜିକ ଯୁବକ ଓ ରୋଡ୍‌ ରୋମିଓଙ୍କୁ ଗିରଫ କରିବାର କ୍ଷମତା ସେମାନଙ୍କର ରହିଛି। ବାରମ୍ବାର ଛାତ୍ରୀ ବା କର୍ମଜୀବୀ ମହିଳାଙ୍କୁ କମେଣ୍ଟ କରୁଥିବା ବ୍ୟକ୍ତିଙ୍କୁ ରେଡ୍‌ କାର୍ଡ ଅନ୍ତର୍ଭୁକ୍ତ କରାଯାଇ ଆଇନ ଅନୁଯାୟୀ ତଡିପାର କରାଯିବ। ପ୍ରଥମେ ଉକ୍ତ ରୋଡ୍‌ ରୋମିଓଙ୍କୁ ରେଡ୍‌କାର୍ଡ ନୋଟିସ ଦିଆଯିବ। ସେମାନଙ୍କ ଅଭିଭାବକ ଓ ଓକିଲଙ୍କୁ ଏବାବଦରେ ଉତ୍ତର ରଖିବାକୁ ପଡିବ। ଉତ୍ତର ସନ୍ତାଷଜନକ ନ ହେଲେ ସ୍ବତନ୍ତ୍ର ଆଇନ ବଳରେ ଏକ ମାସରୁ ଏକ ବର୍ଷ ପର୍ଯ୍ୟନ୍ତ ଉକ୍ତ ଅଞ୍ଚଳକୁ ନ ଆସିବାକୁ ନିର୍ଦ୍ଦେଶ ଦିଆଯିବ। ଖୁବ୍‌ଶୀଘ୍ର ଏସ୍‌ପିଓମାନଙ୍କୁ ପରିଚୟ ପତ୍ର ପ୍ରଦାନ, ପ୍ରଶିକ୍ଷଣ ଓ ଅନ୍ୟାନ୍ୟ ଆବଶ୍ୟକ ସୁବିଧା ଯୋଗାଇ ଦିଆଯିବ। ସମସ୍ତ ଏସପିଓଙ୍କୁ ନେଇ ଏକ ହ୍ବାଟ୍‌ସ ଆପ୍‌ ଗ୍ରୁପ୍‌ କରାଯିବ। ସେଥିରେ ସମସ୍ତ ଘଟଣାର ଠିକିନିଖି ଅପ୍‌ଡେଟ୍‌ କରାଯିବା ସହ ଏସ୍‌ପିଓମାନେ ପରସ୍ପର ଓ ପୋଲିସ ସହ ଯୋଗାଯୋଗରେ ରହିବେ ବୋଲି କମିଶନର ଷଡ଼ଙ୍ଗୀ କହିଛନ୍ତି।
ଟ୍ରାଫିକ ଡିସିପି ସାଗରିକା ନାଥ କହିଲେ, ଏହି ବ୍ୟବସ୍ଥା ଆଧାରରେ ଅଭିଯୁକ୍ତ ତୁରନ୍ତ ଦଣ୍ଡ ପାଇବା ସହ ପୀଡିତାଙ୍କୁ ନ୍ୟାୟ ମିଳିବ। ଫଳରେ ସହରରେ ଯୁବତୀ ଓ ମହିଳା ନିଜକୁ ସୁରକ୍ଷିତ ମଣିବା ସହ ସେମାନଙ୍କ ଉପରେ ହେଉଥିବା ନିର୍ଯାତନା ହ୍ରାସ ପାଇବ ବୋଲି ନାଥ କହିଛନ୍ତି। କାର୍ଯ୍ୟକ୍ରମରେ ଅତିରିକ୍ତ କମିଶନର ସଞ୍ଜୟ ସିଂ ଏସ୍‌ପିଓମାନଙ୍କୁ ସେମାନଙ୍କ କର୍ତ୍ତବ୍ୟ ସମ୍ପର୍କରେ ବୁଝାଇଥିଲେ। ଫିଲ୍ମ ଅଭିନେତ୍ରୀ ଅର୍ଚ୍ଚିତା ଓ ସବ୍ୟସାଚୀ ଅତିଥି ଭାବେ ଯୋଗଦେଇ ଏସ୍‌ପିଓମାନଙ୍କୁ ଉତ୍ସାହିତ କରିବା ସହ ନିର୍ଭୀକତାର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ।

Share