Categories: ଖେଳ

ରୋନାଲ୍ଡୋଙ୍କ ଏକାଧିକ କିର୍ତ୍ତୀମାନ

ଲିସବନ (ପର୍ତ୍ତୁଗାଲ), ୧୨।୯- ୟୁରୋ ୨୦୨୦ ପ୍ରତିଯୋଗିତାର ଏକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ରେ ତାରକା ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଦମ୍‌ଦାର ପ୍ରଦର୍ଶନ ବଳର ପର୍ତ୍ତୁଗାଲ ୫-୧ ଗୋଲରେ ଲିଥୁଆନିଆକୁ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ଏକାକୀ ୪ ଗୋଲସ୍କୋର କରି ରୋନାଲ୍ଡୋ ପର୍ତ୍ତୁଗାଲ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେ ମ୍ୟାଚ୍‌ର ୭ମ, ୬୧, ୬୫ ଓ ୭୬ତମ ମିନିଟରେ ଏହି ୪ଟି ଗୋଲସ୍କୋର କରିଥିଲେ। ଏଥିସହ ସେ ୟୁରୋ ଯୋଗ୍ୟତା ପର୍ଯ୍ୟାୟରେ ସର୍ବାଧିକ ଗୋଲସ୍କୋରର ହେବାର ରେକର୍ଡ କରିଛନ୍ତି। ୩୪ ବର୍ଷୀୟ ରୋନାଲ୍ଡୋ ୨୫ ଗୋଲ ଦେଇଛନ୍ତି। ଏହିକ୍ରମରେ ସେ ଆୟର୍ଲାଣ୍ଡ ଷ୍ଟ୍ରାଇକର ରୋବି କେନ୍‌ (୨୩ ଗୋଲ)ଙ୍କ ରେକର୍ଡକୁ ପଛରେ ପକାଇଛନ୍ତି। ସେହିଭଳି ଅନ୍ତର୍ଜାତୀୟସ୍ତରରେ ରୋନାଲ୍ଡୋଙ୍କ ଗୋଲ ସଂଖ୍ୟା ୯୩ରେ ପହଞ୍ଚତ୍ଛି। ପ୍ରଥମ ୟୁରୋପିଆନ୍‌ ଖେଳାଳି ଭାବେ ଅନ୍ତର୍ଜାତୀୟସ୍ତରରେ ସେ ଏହି ମ୍ୟାଜିକ୍‌ସଂଖ୍ୟକ ଗୋଲସ୍କୋର କରିଛନ୍ତି। ଏହି ମ୍ୟାଚ୍‌ରେ ରୋନାଲ୍ଡୋଙ୍କ ରେକର୍ଡ ଧାରା ଏତିକିରେ ଅଟକି ନ ଥିଲା। ଲିଥୁଆନିଆ ବିପକ୍ଷ ଗୋଲ ସହ ବିଶ୍ୱର ପ୍ରଥମ ଖେଳାଳି ଭାବେ ରୋନାଲ୍ଡୋ ୪୦ଟି ଭିନ୍ନ ଦେଶ ବିପକ୍ଷରେ ଗୋଲସ୍କୋର କରିବାର କିର୍ତ୍ତୀମାନ ହାସଲ କରିଛନ୍ତି। ଯେଉଁଥିରେ ୨୬ ୟୁରୋପୀୟ ଦେଶ ରହିଥିବାବେଳେ ଏସିଆର ୬, ଆଫ୍ରିକାର ୪, ନର୍ଥ ଓ ସାଉଥ୍‌ ଆମେରିକାର ୩ ଓ ଓସେନିଆର ଗୋଟିଏ ଦେଶ ରହିଛି।

Share