Categories: ଖେଳ

ରୋନାଲ୍ଡୋଙ୍କ ୫୬ତମ ହ୍ୟାଟ୍ରିକ

ମିଲାନ, ୭।୧ (ଏଏଫ୍‌ପି)- ପର୍ତ୍ତୁଗାଲ ଫୁଟ୍‌ବଲ ଲିଜେଣ୍ଡ କ୍ରିଷ୍ଟିଆନୋ ରୋନାଲ୍ଡୋ କ୍ୟାରିୟରର ୫୬ତମ ହ୍ୟାଟ୍ରିକ ସଫଳତା ପାଇଛନ୍ତି। ସ୍ଥାନୀୟ ଆଲିଆଞ୍ଜ ଷ୍ଟାଡିୟମରେ ଅନୁଷ୍ଠିତ ସିରିଏ ଏ’ର ଏକ ମୁକାବିଲାରେ ଦୁଇ ଇଟାଲୀର ପ୍ରଫେସନାଲ ଫୁଟ୍‌ବଲ କ୍ଲବ ଜୁଭେଣ୍ଟସ ଓ କାଗଲିଆରି ପରସ୍ପରକୁ ଭେଟିଥିଲେ। ଏଥିରେ ଜୁଭେଣ୍ଟସ୍‌ ୪-୦ ଗୋଲରେ ବିଜୟୀ ହୋଇଛି। ବିଜୟୀ ଦଳ ପକ୍ଷରୁ ୩୪ ବର୍ଷୀୟ ଷ୍ଟାର୍‌ ଖେଳାଳି ରୋନାଲ୍ଡୋ ହ୍ୟାଟ୍ରିକ ଗୋଲସ୍କୋର କରିଥିଲେ। ମ୍ୟାଚ୍‌ର ଦ୍ୱିତୀୟାର୍ଦ୍ଧରେ ହିଁ ରୋନାଲ୍ଡୋ ୩ଟି (୪୯ତମ, ୬୭ତମ ଓ ୮୨ତମ) ଯାକ ଗୋଲ ଦେଇଥିଲେ। ଦ୍ୱିତୀୟ ଗୋଲଟି ପେନାଲ୍ଟିରୁ ମିଳିଥିଲା। ଗୋଞ୍ଜାଲୋ ହିଗୁଏନ୍‌ (୮୧ତମ) ଅନ୍ୟତମ ଗୋଲଟି ଦେଇଥିଲେ। ରୋନାଲ୍ଡୋଙ୍କ କ୍ୟାରିୟରର ଏହା ୫୬ତମ ତଥା ସିରିଏ ଏ’ରେ ପ୍ରଥମ ହ୍ୟାଟ୍ରିକ ରହିଥିଲା। ସେହିଭଳି ଜୁଭେଣ୍ଟସ୍‌ ପକ୍ଷରୁ ୨ୟ ହ୍ୟାଟ୍ରିକ ଥିଲା। ଅପରପକ୍ଷରେ ବିଶ୍ୱର ପ୍ରଥମ ଖେଳାଳିଭାବେ ରୋନାଲ୍ଡୋ ୧୦ଟି ବିଭିନ୍ନ ପ୍ରତିଯୋଗିତାରେ ହ୍ୟାଟ୍ରିକ ଗୋଲସ୍କୋର କରିବାର କୃତିତ୍ୱ ଅର୍ଜନ କରିଛନ୍ତି। ପୂର୍ବରୁ ରୋନାଲ୍ଡୋ ପ୍ରିମିୟର ଲିଗ୍‌, ଲା ଲିଗା, ଚାମ୍ପିୟନ୍ସ ଲିଗ୍‌, କୋପା ଡେଲ୍‌ ରେ, କ୍ଲବ ବିଶ୍ୱକପ୍‌, ବିଶ୍ୱକପ୍‌, ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟ, ୟୁରୋ ଯୋଗ୍ୟତା ପର୍ଯ୍ୟାୟ ଓ ୟୁଫା ନେସନ୍ସ ଲିଗ୍‌ରେ ହ୍ୟାଟ୍ରିକ ଗୋଲ ଦେଇଥିଲେ। ବିଜୟ ଫଳରେ ଜୁଭେଣ୍ଟସ୍‌ ୧୮ ମ୍ୟାଚ୍‌ରୁ ୪୫ ପଏଣ୍ଟ ପାଇ ଗୋଲ ବ୍ୟବଧାନ ଦୃଷ୍ଟିରୁ ଇଣ୍ଟର ମିଲାନ (୪୫) ପଛକୁ ୨ୟ ସ୍ଥାନରେ ରହିଛି।

Share