ରୋମାନ୍ସ, ସସ୍‌ପେନ୍ସରେ ଭରପୂର ରହିବ ଭାଲେଣ୍ଟାଇନ୍‌ ସପ୍ତାହ: ପରଦାକୁ ଆସୁଛି ଏସବୁ ଫିଲ୍ମ

ବମ୍ବେ: ଆଗକୁ ଆସୁଛି ଭାଲେଣ୍ଟାଇନ୍‌ ଡେ। ଚଳଚ୍ଚିତ୍ର ନିର୍ମାତାମାନେ ଏହାକୁ ଦୃଷ୍ଟିରେ ରଖି ରୋମାନ୍ସ ଏବଂ ସସ୍‌ପେନ୍ସ ଉପରେ ଆଧାରିତ ଏକାଧିକ ଫିଲ୍ମ ଭେଟିଦେବାକୁ ଯାଉଛନ୍ତି।

ଭାଲେଣ୍ଟାଇନ୍‌ ସପ୍ତାହରେ ଦୁଇଟି ଶୁକ୍ରବାର ପଡ଼ୁଥିବାବେଳେ ଫେବୃୟାରୀ ୭ ତାରିଖରେ ରିଲିଜ ହେବ ହିନା ଖାଁ ଅଭିନୀତ ‘ହ୍ୟାକ୍ଡ’। ଏହା ହିନାଙ୍କ ଡେବ୍ୟୁ ଫିଲ୍ମ। ନିକଟରେ ଏହାର ଟ୍ରେଲର୍‌ ରିଲିଜ ହେବା ପରେ ଦର୍ଶକଙ୍କ ମଧ୍ୟରେ ଫିଲ୍ମକୁ ନେଇ ଉତ୍କଣ୍ଠା ବଢ଼ିଯାଇଛି। ଜଣେ ସାଇକୋ ଲଭର୍‌ଙ୍କ ଗତିବିଧି ଯୋଗୁ କିଭଳି ଜଣେ ଝିଅଙ୍କ ଜୀବନରେ ପରିବର୍ତ୍ତନ ଆସୁଛି ତାହା ଫିଲ୍ମର କାହାଣୀ।

ସେହିଭଳି ଏହି ଦିନ ଆଉ ଏକ ଫିଲ୍ମ ମଧ୍ୟ ରିଲିଜ ହେଉଛି। କଶ୍ମୀର ପଣ୍ଡିତଙ୍କ ମାଇଗ୍ରେଶନ ଉପରେ ଆଧାରିତ ଫିଲ୍ମ ‘ଶିକାରା’ ଦୀର୍ଘଦିନ ଧରି ବିବାଦରେ ରହି ଆସୁଛି। ବିଧୁ ବିନୋଦ ଚୋପ୍ରାଙ୍କ ନିର୍ଦ୍ଦେଶନାରେ ଫିଲ୍ମର ନିର୍ମାଣ ହୋଇଛି। ଏଥିରେ ଥିବା ପ୍ରେମକାହାଣୀ ଦର୍ଶକଙ୍କୁ ଆକୃଷ୍ଟ କରିବ ବୋଲି ଚର୍ଚ୍ଚା ହେଉଛି।

ଅନିଲ କପୁର, ଆଦିତ୍ୟ ରୟ କପୁର, ଦିଶା ପଟାନୀ ପ୍ରମୁଖ ଅଭିନୀତ ଫିଲ୍ମ ‘ମଲଙ୍ଗ’ ମଧ୍ୟ ଭାଲେଣ୍ଟାଇନ୍‌ ସପ୍ତାହରେ ରିଲିଜ ହେବ। ଏହାର ଟ୍ରେଲର ଏବେ ଦର୍ଶକଙ୍କ ମନ କିଣିଛି। ଫିଲ୍ମରେ କୁନାଲ ଖେମୁ ମଧ୍ୟ ନଜର ଆସିବେ।

ଭ୍ୟାଲେଣ୍ଟାଇନ୍‌ ଡେ’ ଅର୍ଥାତ ୧୪ ଫେବୃୟାରୀରେ ରିଲିଜ ହେବ କାର୍ତ୍ତିକ ଆର୍ୟନ-ସାରା ଅଭିନୀତ ‘ଲଭ ଆଜ୍‌ କଲ-୨’। ଉଭୟଙ୍କ କେମିଷ୍ଟ୍ରି ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ନିର୍ମାତା ଆଶା ରଖିଛନ୍ତି। ଏହି ଦିନ ‘ହମ୍‌ ଭି ଅକେଲେ ତୁମ୍‌ ଭି ଅକେଲେ’ ରିଲିଜ ହେବାକୁ ଯାଉଛି। ହେଲେ ଫିଲ୍ମକୁ ନେଇ କୌଣସି ବଜ୍‌ ଶୁଣିବାକୁ ମିଳୁନାହିଁ। ଏହାଛଡ଼ା ଫିଲ୍ମ ‘ହବାଏଁ’ ମଧ୍ୟ ଉକ୍ତ ଦିନ ପରଦାକୁ ଆସିବ।

Share