‘ରୋମିଓ ରଜା’ରେ ଅମ୍ଳାନଙ୍କ ସହ ସ୍କ୍ରିନ୍‌ ସେୟାର କରୁଛନ୍ତି ତମନ୍ନା

କଲେଜରେ ପ୍ରଥମ ଥର ପାଇଁ ପାଦ ଦେବା ସମୟରେ ପିଲାମାନଙ୍କର ମନ ସତେଯେମିତି ଆକାଶରେ ଉଡୁଥାଏ। ନୂଆ ଦୁନିଆ ଆଉ ରଙ୍ଗିନ୍‌ ପରିବେଶରେ ସେମାନଙ୍କ ମଧ୍ୟରୁ କେତେକ ପ୍ରେମ ମାୟାରେ ପଡିଯାଇଥାଆନ୍ତି। ବାସ୍‌, ଠିକ୍‌ ସେମିତି ପ୍ରଥମ ଦେଖାରେ ଜଣେ କଲେଜ ଛାତ୍ର ଜଣେ କଲେଜ ଛାତ୍ରୀଙ୍କୁ ପ୍ରେମ କରି ବସୁଛି। ସେମାନେ ପ୍ରେମ ଦୁନିଆରେ ଉଡି ବୁଲିବା ସମୟରେ ହଠାତ୍‌ ଆଉ ଜଣେ ଏହି ପ୍ରେମରେ ଏଣ୍ଟ୍ରି କରୁଛନ୍ତି। ତା’ପରେ ତ ନିଶ୍ଚୟ ପ୍ରେମର ପାଣିପାଗ ବଦଳି ଯାଉଥିବ। ତେବେ ତା’ପରେ କ’ଣ ହେଉଛି ଏବଂ ଦୁହିଁଙ୍କ ପ୍ରେମର ଦି ଏଣ୍ଡ କିପରି ହେଉଛି ସେପରି ଏକ ଭିନ୍ନ ଧରଣର ଲଭ ଷ୍ଟୋରିକୁ ନେଇ ନିର୍ମିତ ହେଉଛି ଓଡିଆ ଫିଲ୍ମ ‘ରୋମିଓ ରାଜା’। ଏହାର ଟାଇଟଲ ଭୂମିକାରେ ଅଭିନୟ କରୁଛନ୍ତି ଅମ୍ଳାନ କୁମାର ଏବଂ ତାଙ୍କ ସହ ସ୍କ୍ରିନ୍‌ ସେୟାର କରୁଛନ୍ତି ତମନ୍ନା। ଏନ. ବି. ଏଣ୍ଟରଟେନମେଣ୍ଟ ବ୍ୟାନରରେ ଏହି ଫିଲ୍ମର ଶୁଟିଂ ବର୍ତ୍ତମାନ ଚାଲୁ ରହିଛି। ସୁଶାନ୍ତ କୁମାର ପଣ୍ଡାଙ୍କ ପ୍ରଯୋଜନାରେ ଏହାର କାହାଣୀ, ଚିତ୍ରନାଟ୍ୟ ରଚନା କରିବା ସହ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଉଛନ୍ତି ନବାଗତ ନିର୍ଦ୍ଦେଶକ ରାକେଶ ସାମଲ। ଜମେଶ ଶୁକ୍ଳା ସଂଳାପ ରଚନା କରିଛନ୍ତି ଏବଂ ପଞ୍ଚାନନ ନାୟକ, ଅରୁଣ ମନ୍ତ୍ରୀ, ସୁବ୍ରତ ସ୍ବାଇଁ, ଡ. ସୁବୋଧ ଦାସଙ୍କ ରଚିତ ଗୀତଗୁଡିକୁ ସ୍ବର ଦେଇଛନ୍ତି ବୈଦନାଥ ଦାଶ। କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର, ଅସୀମା ପଣ୍ଡା ଏବଂ ଗୀତିଶ୍ରୀ ସରୋଜ। ଅମ୍ଳାନ-ତମନ୍ନାଙ୍କ ବ୍ୟତୀତ ହରିହର ମହାପାତ୍ର, ବାବୁ ପ୍ରଧାନ, ଦୀପକ ମହାରଣା, ଜ୍ଞାନ ପଲେଇ, ତପନ, ରାଜଲକ୍ଷ୍ମୀ ବିଭିନ୍ନ ଭୂମିକାରେ ଅଭିନୟ କରୁଛନ୍ତି।

Share