Categories: ଖେଳ

ରୋହିତଙ୍କୁ କ୍ୟାରିୟରର ଶ୍ରେଷ୍ଠ ଟେଷ୍ଟ ର଼୍ୟାଙ୍କିଙ୍ଗ୍‌

ଦୁବାଇ,୮।୧୦: ଓପନର ଭାବେ ପଦାର୍ପଣ ଟେଷ୍ଟର ଉଭୟ ଇନିଂସରେ ଶତକ କରିବାରେ ବିଶ୍ୱର ଏକମାତ୍ର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା କ୍ୟାରିୟରର ଶ୍ରେଷ୍ଠ ଆଇସିସି ଟେଷ୍ଟ ବ୍ୟାଟ୍ସମ୍ୟାନ ର଼୍ୟାଙ୍କିଙ୍ଗ୍‌ ହାସଲ କରିଛନ୍ତି। ପୂର୍ବରୁ ୫୩ତମ ସ୍ଥାନରେ ଥିବା ରୋହିତ ପ୍ରଥମ ଟେଷ୍ଟ ପରେ ୧୭ତମ ସ୍ଥାନକୁ ଉଠିଛନ୍ତି। ଏପର୍ଯ୍ୟନ୍ତ ୨୮ ଟେଷ୍ଟ ଖେଳିଥିବା ଡାହଣହାତୀ ବ୍ୟାଟ୍ସମ୍ୟାନ ଏକାଥରେ ୩୬ ସ୍ଥାନ ଉପରକୁ ଉଠି ଆସିଛନ୍ତି। ଭାଇଜାଗ ଟେଷ୍ଟରେ ଦ୍ୱିଶତକ ହାସଲ କରିଥିବା ମୟଙ୍କ ଅଗ୍ରଓ୍ବାଲ ୩୮ ସୋପାନ ଉପରକୁ ଉଠି ୨୫ତମ ସ୍ଥାନ ଅଧିକାର କରିଛନ୍ତି। ଏହା ତାଙ୍କ କ୍ୟାରିୟରର ଶ୍ରେଷ୍ଠ ର଼୍ୟାଙ୍କିଙ୍ଗ୍‌। ଅଧିନାୟକ ବିରାଟ କୋହଲି ଦ୍ୱିତୀୟ ସ୍ପଟ ବଜାୟ ରଖିଛନ୍ତି। କିନ୍ତୁ ତାଙ୍କ ର଼୍ୟାଙ୍କିଙ୍ଗ୍‌ ପଏଣ୍ଟ ୯୦୦ ତଳକୁ ଖସି ଆସିଛି। କୋହଲିଙ୍କ ନିକଟରେ ର଼୍ୟାଙ୍କିଙ୍ଗ୍‌ ପଏଣ୍ଟ ଏବେ ୮୯୯ ରହିଛି। ତାଙ୍କଠାରୁ ଅଧିକ ୩୮ ପଏଣ୍ଟ ସହ ଶୀର୍ଷରେ ରହିଛନ୍ତି ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ। ବୋଲରଙ୍କ ମଧ୍ୟରେ ରବିଚନ୍ଦ୍ରନ ଅଶ୍ୱିନ ଟପ୍‌ ୧୦କୁ ଫେରିଛନ୍ତି। ସେ ଭାଇଜାଗ ଟେଷ୍ଟରେ ମୋଟ ୧୪୫ ରନ୍‌ ବ୍ୟୟ କରି ୭ ଉଇକେଟ ନେଇଥିଲେ। ପୂର୍ବତନ ନମ୍ବର ଓ୍ବାନ ବୋଲର ୧୪ ତମ ସ୍ଥାନରୁ ଉଠି ୧୦ମ ସ୍ଥାନରେ ରହିଛନ୍ତି। ଅଲରାଉଣ୍ଡ ଟପ୍‌ ୫ ତାଲିକାରେ ମଧ୍ୟ ସ୍ଥାନ ପାଇଛନ୍ତି। ପେସର ମହମ୍ମଦ ସାମି ଦୁଇଟି ସ୍ଥାନ ଉପରକୁ ଉଠି ୧୬ତମ ଓ ରବୀନ୍ଦ୍ର ଜାଡେଜା ବାଂଲାଦେଶର ଶାକିବ ଅଲ ହାସନଙ୍କୁ ପଛରେ ପକାଇ ଦ୍ୱିତୀୟ ର଼୍ୟାଙ୍କ ଅଲରାଉଣ୍ଡ ହୋଇପାରିଛନ୍ତି।

Share