Categories: ଖେଳ

ରୋହିତ-ଅଗ୍ରଓ୍ବାଲଙ୍କ ରେକର୍ଡ

ବିଶାଖାପାଟଣା,୩।୧୦(ପିଟି): ରୋହିତ ଶର୍ମା ଓ ମୟଙ୍କ ଅଗ୍ରଓ୍ବାଲ ଗୁରୁବାର ଟେଷ୍ଟ କ୍ରିକେଟ ଇତିହାସରେ ୩ୟ ଭାରତୀୟ ଓପନିଂ ଯୋଡ଼ି ଭାବେ ୩୦୦ ରନ୍‌ର ଭାଗୀଦାରି କରିଛନ୍ତି। ଏଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟରେ ରୋହିତ ଓ ମୟଙ୍କ ଓପନିଂ ଯୋଡ଼ି ୩୧୭ ରନ୍‌ କରିଥିଲା। ପ୍ରଥମ ଥର ଟେଷ୍ଟରେ ଓପନିଂ କରିଥିବା ରୋହିତ ୧୭୬ ଓ ଅଗ୍ରଓ୍ବାଲ ୨୧୫ ରନ୍‌ କରି ଆଉଟ୍‌ ହୋଇଥିଲେ। ରୋହିତ-ମୟଙ୍କଙ୍କ ବ୍ୟତୀତ ୩୦୦ ରନ୍‌ କରିଥିବା ଭାରତୀୟ ଓପନିଂ ଯୋଡ଼ି ମଧ୍ୟରେ ଭିନୁ ମଙ୍କଡ ଓ ପଙ୍କଜ ରୟ (୧୯୫୬ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୪୧୩) ଏବଂ ରାହୁଲ ଡ୍ରାଭିଡ୍‌ ଓ ବୀରେନ୍ଦ୍ର ସେହ୍ବାଗ (୨୦୦୬ରେ ପାକିସ୍ତାନ ବିପକ୍ଷରେ ୪୧୦)ଙ୍କ ଯୋଡ଼ି ରହିଛନ୍ତି। ୨୮ ବର୍ଷୀୟ ଅଗ୍ରଓ୍ବାଲ କ୍ୟାରିୟରର ୮ମ ଇନିଂସରେ ପ୍ରଥମ ଟେଷ୍ଟ ଶତକ ହାସଲ କରିଛନ୍ତି। ଟେଷ୍ଟ କ୍ରିକେଟରେ ଶତକ ଲଗାଇବାରେ ମୟଙ୍କ ଦେଶର ୮୬ତମ ବ୍ୟାଟ୍ସମ୍ୟାନ।

Share