Categories: ଖେଳ

ରୋହିତ ଶର୍ମା ମୋ ସ୍ତ୍ରୀ ନୁହଁନ୍ତି: ଶିଖର ଧାଓ୍ବନ

ନୂଆଦିଲ୍ଲୀ, ୧୫।୫: ଆଇପିଏଲ ମହାସମର ଶେଷ ହେବା ପରେ ଏବେ ଇଂଲଣ୍ଡରେ ଆୟୋଜିତ ହେବାକୁ ଥିବା ଆଇସିସି କ୍ରିକେଟ ବିଶ୍ୱକପ ଉପରେ ସମସ୍ତଙ୍କ ନଜର ରହିଛି। ଏଥିପାଇଁ ଖେଳାଳିମାନେ ଜୋରସୋର ପ୍ରସ୍ତୁତି ଚଳାଇଛନ୍ତି। ଭାରତୀୟ କ୍ରିକେଟ ଦଳର ଓପନିଂ ବ୍ୟାଟ୍ସମ୍ୟାନ୍‌ ଶିଖର ଧାଓ୍ବନ ବିଶ୍ୱକପ୍‌ରେ ଭଲ ପ୍ରଦର୍ଶନ ପାଇଁ ବେଶ୍‌ ଆଶାବାଦୀ ଅଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଆଇପିଏଲ ଖେଳି ସେ ଦମଦାର ପ୍ରଦର୍ଶନ କରିଛନ୍ତି। ସେ ୧୫ଟି ମ୍ୟାଚ୍‌ ଖେଳି ଦଳ ପକ୍ଷରୁ ସର୍ବାଧିକ ୫୨୧ରନ କରିଥିଲେ। ବିଶ୍ୱକପ୍‌ ପାଇଁ କେତେ ପ୍ରସ୍ତୁତ ଅଛନ୍ତି ବୋଲି ଶିଖରଙ୍କୁ ପଚରାଯିବାକୁ ସେ କହିଛନ୍ତି ଭାରତୀୟ ଦଳ ଏବେ ଭଲ ପ୍ରଦର୍ଶନ କରୁଛି। ବିଶ୍ୱକପରେ ମଧ୍ୟ ତାହା ଜାରି ରହିବ ବୋଲି ସେ କହିଛନ୍ତି। ଓପନିଂ ପାର୍ଟନର୍‌ ରୋହିତ ଶର୍ମାଙ୍କ ସହ ଆପଣ ସମ୍ପର୍କରେ ଅଛନ୍ତି କି ନାହିଁ ବୋଲି ପଚାରାଯିବାରୁ ସେ ମଜାଦାର ଉତ୍ତର ଦେଇ କହିଥିଲେ, ସେ ମୋ ସ୍ତ୍ରୀ ନୁହଁନ୍ତି,ଯାହା ସହ ମୁଁ ସମ୍ପର୍କରେ ରହିବି। ଆମେ ଅନେକ ଦିନରୁ ଭାରତ ପାଇଁ ଏକାଠି ଖେଳିଆସୁଛୁ। ଆମ ଭିତରେ ଉତ୍ତମ ବୁଝାମଣା ରହିଛି। ତେଣୁ ବିଶ୍ୱକପରେ ମଧ୍ୟ ଆରମ୍ଭରୁ ଭଲ ସ୍କୋର କରିବାର ଲକ୍ଷ୍ୟ ରହିଛି ବୋଲି ଶିଖର କହିଛନ୍ତି।

Share