ଲକଡାଉନ ବେଳେ ସଂରକ୍ଷିତ ଜଙ୍ଗଲରୁ ଗଛ ଚୋରି

ବଡ଼ବିଲ,୪।୪(ସ୍ଵ.ପ୍ର.)-
ଲକଡାଉନ ବେଳେ କେନ୍ଦୁଝର ଜିଲା ବଡ଼ବିଲ ବନାଞ୍ଚଳର ଉଲିବୁରୁ ସଂରକ୍ଷିତ ଜଙ୍ଗଲରେ ଦୈନିକ ଶାଳ ଗଛ ଚୋରି ବଢ଼ିବାରେ ଲାଗିଛି। ଶନିବାର ପୂର୍ବାହ୍ନରେ ଶତାଧିକ ମହିଳା ଗଛ କାଟି ଚୋରି କରୁଥିବା ବେଳେ ପିଏଚଡି ଅଞ୍ଚଳର ଯୁବକ ମାନେ ସେମାନଙ୍କୁ ରୋକିବା ସହ ବନ ବିଭାଗକୁ ଖବର ଦେଇଥିଲେ।
ସୂଚନା ଅନୁଯାୟୀ, ଦେଶବ୍ୟାପି ଲକ ଡାଉନ ଡାଉନ ଘୋଷଣାର ଶନିବାର ଦଶମ ଦିନରେ ପହଞ୍ଚୀଛି। ଜନସାଧାରଣଙ୍କୁ ଘରୁ ବାହାରକୁ ବାହାରିବା ଓ ସୋସିଆଲ ଡିଷ୍ଟାନସ ମେଂଟେନ କରିବାକୁ ସରକାରଙ୍କ ପରାମର୍ଶ ରହିଛି। କେବଳ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ତେଜରାତି ଦୋକାନ, ଔଷଧ ଦୋକାନ, ପରିବା ଦୋକାନ, କ୍ଷୀର, ପାଉଁରୁଟି, ଫଳ ଦୋକାନ, ପେଟ୍ରୋଲ ପମ୍ପ, ବ୍ୟାଙ୍କ ଖୋଲା ରହିଛି। ତେବେ କରୋନାକୁ ପ୍ରତିହତ କରିବାକୁ ପ୍ରଶାସନ ଜୋରଦାର ଉଦ୍ୟମ ଜାରି ରଖିଥିଲାବେଳେ ଜଙ୍ଗଲରୁ ବର୍ଷେ ଦୁଇବର୍ଷର ଗଛ କାଟି ଚୋରୀ ହେଉଛି। ଏଥିରେ ମୁଖ୍ୟତଃ ମହିଳାମାନେ ସାମିଲ ହୋଇଥିବା ଦେଖିବାକୁ ମିଳିଛି। ବଡ଼ବିଲ ବନାଞ୍ଚଳର ଉଳିବୁରୁ ସଂରକ୍ଷିତ ଜଂଗଲରୁ ଦୈନିକ ହଜାର ହଜାର ସଂଖ୍ୟାରେ ଗଛ କାଟି ନେଉଥିବା ବେଳେ ଶନିବାର ସକାଳେ ଗ୍ରାମବାସୀମାନେ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗୀୟ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚିବା ବେଳକୁ ଗଛ ଗୁଡିକୁ ଫିଙ୍ଗିଦେଇ ପଳାୟନ କରିଥିଲେ। ଏନେଇ ପିଏଚଡି ଅଞ୍ଚଳର ଯୁବକ ଅଶୋକ ନାୟକ ଅଭିଯୋଗ କରିଛନ୍ତି ଯେ, ବନ ବିଭାଗ ଗଛ ଚୋରିକୁ ରୋକିବା ନେଇ ଆଦୌ ତତ୍ପର ହେଉନାହାନ୍ତି। ଦିନେହେଲେ ବନ କର୍ମଚାରୀଙ୍କ ଦେଖାମିଳେନାହିଁ। ତେବେ ବଡ଼ବିଲ ବନାଞ୍ଚଳ ଅଧିକାରୀ ମଧୁସୂଦନ ପାତ୍ର ଦୈନିକ ଗଛ ଚୋରି ହେଉଥିବା ଘଟଣା ସ୍ବୀକାର କରି କହିଛନ୍ତି ଯେ, ସ୍ଥାନୀୟ ଲୋକଙ୍କ ସହାୟତା ନେଇ ଏହି ଚୋରି ରୋକିବା ନିମନ୍ତେ ପଦକ୍ଷେପ ନିଆଯିବ।

Share