ଲକ୍ଷାଧିକ ଟଙ୍କାର କୋରେକ୍ସ ଜବତ, ଅଭିଯୁକ୍ତ ଫେରାର

ନୂଆପଡା ଅଫିସ,୩ା୭: ନୂଆପଡା ଅବକାରୀ ବିଭାଗ ସ୍ଥାନୀୟ ଲଖନା ଥାନା ଅନ୍ତର୍ଗତ ବରପଦରପଡା (ବାଞ୍ଜିବାହାଲ)ରୁ ଲକ୍ଷାଧିକ ଟଙ୍କାର କୋରେକ୍ସ ଜବତ କରିଥିବା ବେଳେ ଅଭିଯୁକ୍ତ ଫେରାର ହୋଇଛନ୍ତି। ଏ ନେଇ ଦଫା ୨୧(ଖ)ରେ ଏକ ମାମଲା (ନଂ. ୨୩/୧୯) ରୁଜୁ କରାଯାଇଥିବାବେଳେ ବିଭାଗ ତରଫରୁ ବିଶେଷ ତଦନ୍ତ ଚାଲିଛି ।
ମଙ୍ଗଳବାର ରାତିରେ ଗ୍ରାମବାସୀଙ୍କ ସୂତ୍ରରୁ ଖବର ପାଇ ଅବକାରୀ ଇନ୍ସିପେକ୍ଟର ସୁବନ କୁମାର ନାଏକଙ୍କ ନେତୃତ୍ୱରେ ଏକ ଟିମ ବଦପଦର ପଡାରେ ପହଞ୍ଚତ୍ଥିଲା। ସେଠାରେ ଗ୍ରାମବାସୀ ନେତ୍ରାନନ୍ଦ ସାହୁ ନାମକ ଜଣେ ବ୍ୟକ୍ତି କୋରେକ୍ସ ଚାଲାଣ କରୁଥିବା ବେଳେ ଧରିଥିଲେ। ସମ୍ପୃକ୍ତ ବ୍ୟକ୍ତି ଜଣକ ଏହାକୁ ଛାଡି କୁଆଡେ ଚାଲିଯାଇଥିଲେ। ଅବକାରୀ ବିଭାଗ ଅଧିକାରୀମାନେ ସେଠାରୁ ଦୁଇ ବସ୍ତା କୋରେକ୍ସ ବୋତଲ ଜବତ କରିଥିଲେ। ଏଥିରେ ମୋଟ ୧୪୨୦ଟି ବୋତଲ ଥିବା ଜଣାପଡିଥିଲା । ପ୍ରତ୍ୟେକଟିର ଛାପା ମୂଲ୍ୟ ୧୧୬ଟଙ୍କା ରହିଥିଲା । ଏହାକୁ ସେ ଜିଲାର ବିଭିନ୍ନ ସ୍ଥାନକୁ ଚାଲାଣ କରି ଚଢା ଦରରେ ବିକ୍ରି କରି ମୁନାଫା ନେଉଥିଲେ । ବିଭିନ୍ନ ସମୟରେ ନେତ୍ରାନନ୍ଦ ଏହି ଗାଁକୁ ଆଣି ନିଜ ଜଣେ ସମ୍ପର୍କୀୟଙ୍କ ଘରେ ରଖୁଥିଲେ। ଏହାକୁ ଗ୍ରାମବାସୀ କାବୁ କରିବାକୁ ସମୟ ଦେଖୁଥିଲେ। ଠିକ ସମୟରେ ଅବକାରୀ ବିଭାଗକୁ ଖବର ଦେଇଥିଲେ ହେଁ ବିଭାଗ ତାଙ୍କୁ ଧରିବାରେ ବିଫଳ ହୋଇଥିଲା । ଏହା ଉପରେ ତଦନ୍ତ ଚାଲିଛି । ଏହାକୁ କେଉଁଠୁ ଆସୁଥିଲା ଏବଂ କେଉଁଠିକୁ ଯାଉଥିଲା ତାରି ଛାନଭିନ ଚାଲିଛି । ତାଙ୍କୁ ଖୁବଶୀଘ୍ର ଗିରଫ କରିବା ବ୍ୟବସ୍ଥା କରାଯିବ ବୋଲି ଇନ୍ସିପେକ୍ଟର ନାଏକ କହିଛନ୍ତି । ଏହି ଚଢାଉରେ ଅନ୍ୟମାନଙ୍କ ମଧ୍ୟରେ ସବ ଇନ୍ସପେକ୍ଟର ଦୁର୍ବାଦଳ ବିଶ୍ୱାଳ, ଏଏସଆଇ କୁରେଶ୍ୱର କଟା, ସଞ୍ଜୀବ ସାହୁ, ସୁନାଧର ମାଝି, ମଳୟ ମହାନ୍ତି, ଧନରାଜ ଦଣ୍ଡସେନା, ଗିରେନ୍ଦ୍ର କଟା, ପୂର୍ଣ୍ଣିମା କହଁର ପ୍ରମୁଖ ସାମିଲ ଥିଲେ।

Share