ଲକ୍ଷାଧିକ ଟଙ୍କାର ଜିଞ୍ଜର ସହ ପିକଅପ୍‌ ଜବତ, ଜଣେ ଗିରଫ

ବାଲେଶ୍ୱର ଅଫିସ, ୧୬।୭-ବାଲେଶ୍ୱର ଭ୍ରାମ୍ୟମାଣ ଅବକାରୀ ବିଭାଗ ସୋମବାର ପୂର୍ବାହ୍ନ ସମୟରେ ଶିଳ୍ପାଞ୍ଚଳ ଥାନା ବାମପଦା ଛକରେ ଗୋଟିଏ ପିକଅପ୍‌ ଭ୍ୟାନ୍‌ (ନଂ. ଓଡ଼ି୦୧ୟୁ୪୨୨୨)ରେ ଯାଉଥିବା ୨୫ପେଟି ଜିଞ୍ଜର ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ଦେଢଲକ୍ଷ ଟଙ୍କା ହେବ। ଏହାକୁ ଚାଲାଣ କରୁଥିବା ଡ୍ରାଇଭର ପ୍ରଶାନ୍ତ କୁମାର ପଣ୍ଡାଙ୍କୁ ଗିରଫ କରାଯାଇଛି। ତାଙ୍କ ଘର ବାସୁଦେବପୁର ଥାନା କୁମାରପୁର ଗ୍ରାମରେ।

ଦୀର୍ଘଦିନ ହେଲା ଝାଡ଼ଖଣ୍ଡ ରାଜ୍ୟ ଦେଓଘର ଜିଲାରେ ତିଆରି ହେଉଥିବା ଜିଞ୍ଜର ଓଡ଼ିଶାର ବିଭିନ୍ନ ଜିଲାକୁ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଥିଲା। ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଓ ଜିଲା ଅବକାରୀ ଅଧୀକ୍ଷକ ରାଜେଶ ଭୋତ୍ରାଙ୍କ ନିର୍ଦ୍ଦେଶରେ ଭ୍ରାମ୍ୟମାଣ ଥାନା ଆଇଆଇସି ଉଦେଲାଲ ନାୟକଙ୍କ ତତ୍ତ୍ୱାବଧାନରେ ସୂଚନା ପାଇ ଗାଡ଼ିକୁ ଅଟକାଯାଇଥିଲା। ଗାଡ଼ି ସମେତ ମାଦକ ଦ୍ରବ୍ୟ ଜବତ କରାଯିବା ସହ ଭ୍ରାମ୍ୟମାଣ ଅବକାରୀ ଥାନାରେ ମାମଲା (ନଂ. ୬୭/୧୯-୨୦) ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି। ସୂଚନାନୁସାରେ ଜିଞ୍ଜର ବୋତଲରେ ୮୬ରୁ ୯୦ ପ୍ରତିଶତ ଆଲକହଲ ରହୁଛି। ଯାହା ମଦଠାରୁ ଅଧିକ ନିଶା ହେବାରେ ସହାୟ ହେଉଛି। ୪୫୦ ଏମ୍‌.ଏଲ୍‌. ଜିଞ୍ଜରକୁ ବୋତଲରେ ପ୍ରିଣ୍ଟରେଟ୍‌ ଲେଖାହୋଇଥିବା ୧୧୫ ଟଙ୍କା ଥିବା ବେଳେ ଚୋରାରେ ୪ଶହ ଟଙ୍କା ନେଇ ବିକ୍ରି କରାଯାଉଛି। ଅନ୍ୟପକ୍ଷରେ ଗତ ଜାନୁୟାରୀ ୧୩ ତାରିଖରେ ଶେରଗଡ଼ସ୍ଥିତ ଟୋଲଗେଟ୍‌ ପଛରୁ ଏକ ଟ୍ରକ୍‌ରେ ଯାଉଥିବା ୧୦୦ପେଟି ଅର୍ଥାତ୍‌ (୨୨୫୦ ଲିଟର) ଧରା ପଡ଼ି ଟ୍ରକ୍‌ ସହ ଜବତ ହୋଇଥିଲା। ଏହିଭଳି ଅନେକ ନିଶା ମାଫିଆମାନେ ଜିଞ୍ଜରକୁ ନେଇ ଉପକୂଳ ଜିଲାଗୁଡ଼ିକରେ ଚୋରା କାରବାର ବିସ୍ତାର କରିବାରେ ସଫଳ ହୋଇଥିବା ଦେଖିବାକୁ ମିଳୁଛି। ଚଢ଼ାଉରେ ସହ ଉପନୀରିକ୍ଷକ ଚନ୍ଦ୍ର ମୋହନ ସେଠୀ ଓ କନଷ୍ଟେବଳ ପ୍ରହଲ୍ଲାଦ ବିଶ୍ୱାଳ ଓ ସେକ କଲିମ ପ୍ରମୁଖ ସାମିଲ ଥିଲେ।