ଲକ୍ଷାଧିକ ଟଙ୍କାର ପଲିଥିନ୍‌, ଗୁଟ୍‌ଖା, ପ୍ଲାଷ୍ଟିକ ସାମଗ୍ରୀ ଜବତ

ବାଲିଗୁଡ଼ା,୩।୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଏନ୍‌ଏସି ପକ୍ଷରୁ ଶନିବାର ବାଲିଗୁଡା ଇଲେକ୍ଟ୍ରି ସାହିର ଟୁକୁନା ପାତ୍ରଙ୍କ ଗୋଦାମ ଘରେ ଅଚାନକ ଚଢ଼ାଉ କରାଯାଇଛି । ସେଠାରୁ ଲକ୍ଷାଧିକ ଟଙ୍କାର ପଲିଥିନ,ଗୁଟୁଖା ଓ ପ୍ଲାଷ୍ଟିକ ସାମଗ୍ରୀ ଜବତ କରାଯାଇଛି। ସରକାରଙ୍କ ନିର୍ଦ୍ଦେଶକ୍ରମେ ବାଲିଗୁଡ଼ା ଏନ୍‌ଏସି ପକ୍ଷରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ପଲିଥିନ ଓ ପ୍ଲାଷ୍ଟିକ ବ୍ୟବହାର ନ କରିବା ପାଇଁ ସହରବାସୀଙ୍କୁ ବାରମ୍ବାର ସଚେତନ କରାଯାଇଥିଲା । କିନ୍ତୁ ଏହାକୁ ଭ୍ରୁକ୍ଷେପ ନ କରି ଏବେବି ଅନେକ ବ୍ୟବସାୟୀ ବେଆଇନ ଭାବେ ବ୍ୟବସାୟ ଚଳାଇ ଆସୁଛନ୍ତି । ଟୁକୁନାଙ୍କ ଗୋଦାମ ଘରେ ବିପୁଳ ପରିମାଣର ପଲିଥିନ,ଗୁଟୁଖା,ପ୍ଲାଷ୍ଟିକ ସାମଗ୍ରୀ ଥିବା ପୂର୍ବ ସୂଚନା ଅନୁଯାୟୀ ବାଲିଗୁଡ଼ା ଏନ୍‌ଏସି ପକ୍ଷରୁ ଏହି ଚଢ଼ାଉ କରାଯାଇଥିଲା। ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ୪ ଲକ୍ଷ ଟଙ୍କାରୁ ଊଦ୍ଧର୍‌ବ ହେବ। ବର୍ତ୍ତମାନ ସମସ୍ତ ଜିନିଷକୁ ଯାଞ୍ଚ କରିବା ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦାୟିତ୍ୱରେ ଥିବା ଏକ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ ଦେବେନ୍ଦ୍ର କୁମାର ସାହୁ ଓ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଜୟଦେବ ଷଡ଼ଙ୍ଗୀ ପ୍ରକାଶ କରିଛନ୍ତି ।

Share