ଲକ୍ଷାଧିକ ଟଙ୍କାର ବାଣ ଜବତ

ବୈଶିଙ୍ଗା,୧୯ା୧୦(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ବେତନଟୀ ଓ ବୈଶିଙ୍ଗା ପୋଲିସର ଏକ ଟିମ୍‌ ବୈଶିଙ୍ଗା ଥାନା ଅନ୍ତର୍ଗତ ବାଛୁରୀପଡା ଗ୍ରାମରେ ଗୁରୁବାର ଚଢାଉ କରି ଲକ୍ଷାଧିକ ଟଙ୍କାର ବାଣ ଓ ବିସ୍ଫୋରକ ସାମଗ୍ରୀ ଜବତ କରିଛି। ଏହି ଘଟଣାରେ ଦୁଇଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ବୀରେନ ସାହୁ ଓ ଲକ୍ଷ୍ମୀଧର ସାହୁ।
ସୂଚନା ଅନୁଯାୟୀ, ବାଛୁରୀପଡା ଗ୍ରାମର କିଛି ଲୋକ ବାଣ ତିଆରି କରି ବିକ୍ରି କରିଥାନ୍ତି। ବର୍ଷର ବିଭିନ୍ନ ସମୟରେ ସେମାନେ ବାଣ କାମ କରି ଗୁଜୁରାଣ ମେଣ୍ଟାଇଥାନ୍ତି। ଏହି ଗ୍ରାମକୁ ଓଡ଼ିଶାର ଶିବକାଶୀ ବୋଲି ମଧ୍ୟ କୁହାଯାଇଥାଏ। ତେବେ ବିନା ଲାଇସେନ୍ସରେ ସେମାନେ ବାଣ ପ୍ରସ୍ତୁତ କରି ବିକ୍ରି କରୁଥିତ୍ବାରୁ ଗୁରୁବାର ପୋଲିସ ପକ୍ଷରୁ ଚଢାଉ କରାଯାଇଥିଲା। ଦୀପାବଳି ଉପଲକ୍ଷେ ତିଆରି ହୋଇଥିବା ଲକ୍ଷାଧିକ ଟଙ୍କାର ବାଣ ଓ ବିସ୍ଫୋରକ ସାମଗ୍ରୀକୁ ପୋଲିସ ଜବତ କରିଥିଲା। ଏଥିନେଇ ବୈଶିଙ୍ଗା ଥାନାରେ ଦୁଇଟି ମାମଲା( ନଂ. ୨୨୩ /୧୯ ଓ ୨୨୪/୧୯) ରୁଜୁ କରାଯାଇଛି।