Categories: ଗଞ୍ଜାମ

ଲକ୍ଷାଧିକ ଟଙ୍କା ଲୁଟିଲେ ଦୁର୍ବୃତ୍ତ

ଗୋପାଳପୁର,୨୮।୭-ଗୋଳନ୍ଥରା ଥାନାଞ୍ଚଳରେ ଦିନକୁ ଦିନ ଚୋରି, ଡକାୟତି ବୃଦ୍ଧି ପାଇବାରେ ଲାଗିଛି। ଶନିବାର ମଧ୍ୟରାତ୍ରିରେ ଦୁର୍ବୃତ୍ତମାନେ ଦୁଇଟି ଘରୁ ଚୋରି କରିଥିବା ବେଳେ ଅନ୍ୟ ୨ ଘରୁ ଚୋରି ଉଦ୍ୟମ କରି ବିଫଳ ହୋଇଛନ୍ତି। ଉକ୍ତ ଥାନା ଗୋବିନ୍ଦପୁର ଗ୍ରାମରେ ପ୍ରଫୁଲ୍ଲ ଦାସଙ୍କ ଘରୁ ଶନିବାର ରାତିରେ ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କା ସହ ତାଙ୍କ ସ୍ତ୍ରୀଙ୍କ ବେକରୁ ମାଳି ନେଇ ଚମ୍ପଟ ମାରିଛନ୍ତି। ପରେ ତାଙ୍କ ପଡ଼ୋଶୀ ଟି. ଲକ୍ଷ୍ମୀଙ୍କ ଘରୁ ମୂଲ୍ୟବାନ କାଗଜପତ୍ର, ଟିଭି ନେଇଯାଇ ପ୍ରଫୁଲ୍ଲଙ୍କ ଘର ପଛପଟେ ଫିଙ୍ଗିି ଚାଲି ଯାଇଥିଲେ। ଏ ନେଇ ପ୍ରଫୁଲ୍ଲଙ୍କ ପୁଅ ବାବୁଲା ଗୋଳନ୍ଥରା ଥାନାରେ ଅଭିଯୋଗ କରିଥିଲେ। ରବିବାର ପୋଲିସ ଘଟଣାର ତଦନ୍ତ କରିବା ସହ ନଂ. ୧୮୨/୧୯ରେ ମାମଲା ରୁଜୁ କରିଛି। ପ୍ରଫୁଲ୍ଲ ପରିବାରଙ୍କ ସହ ରାତିରେ ଶୋଇଥିବା ବେଳେ ଦୁର୍ବୃତ୍ତମାନେ ପଛ କବାଟ ଭାଙ୍ଗି ଆଲମିରାରୁ ଟଙ୍କା ଓ ତାଙ୍କ ସ୍ତ୍ରୀ ବେକରୁ ମାଳି ଛିଣ୍ଡାଇ ନେଇଥିଲେ। ସେହିପରି ଉକ୍ତ ଗ୍ରାମର ଧୋବା ଦାସ ପରିବାର ସହ ରାତିରେ ଘରେ ଶୋଇଥିବା ସମୟରେ ଦୁର୍ବୃତ୍ତମାନେ ଘର ପଛପଟ କବାଟ ଭାଙ୍ଗୁଥିଲେ। ଧୋବା ଉଠି ପଡ଼ିବାରୁ ସେମାନେ ଚମ୍ପଟ ମାରିଥିଲେ। ପରେ ସିଏଚ୍‌ ଚେନ୍ନାୟାଙ୍କ ଘର ପଛ କବାଟକୁ ଭାଙ୍ଗି ଦେଇଥିଲେ।