Advertisement

ଲକ୍ଷେ ଟପିବ ଆମେରିକା କରୋନା ମୃତ୍ୟୁ ସଂଖ୍ୟା: ଟ୍ରମ୍ପ୍‌

ଓ୍ବାଶିଂଟନ,୪।୫: କରୋନା ସଂକ୍ରମଣ ଯୋଗୁ ଆମେରିକାରେ ପ୍ରତିଦିନ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଗାମୀ ଦିନରେ କରୋନା ମୃତ୍ୟୁ ସଂଖ୍ୟା ଆମେରିକାରେ ଲକ୍ଷେ ଟପିବ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସତର୍କ ସୂଚନା ଦେଇଛନ୍ତି। ତାଙ୍କ ସରକାର କରୋନା ମୁକାବିଲା ଯୋଜନାବଦ୍ଧ ଭାବେ କରୁଥିବାବେଳେ ଏହାକୁ ରୋକିବା ସମ୍ଭବ ହେଉ ନ ଥିବା ସେ କହିଛନ୍ତି। ବର୍ଷ ଶେଷ ସୁଦ୍ଧା ଦେଶରେ କରୋନା ପ୍ରତିଷେଧକ ଟୀକା ପ୍ରସ୍ତୁତ ହେବାର ସମ୍ଭାବନା ରହିଛି। ତେବେ ଆମେରିକା ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପକ୍ଷରୁ କୁହାଯାଇଛି ଯେ, ପ୍ରତିଷେଧକ ଟୀକା ପ୍ରସ୍ତୁତି ପାଇଁ ୧୨ରୁ ୧୮ ମାସ ଲାଗିବ। ଏନେଇ ବରିଷ୍ଠ ସଂକ୍ରାମକ ରୋଗ ବିଶେଷଜ୍ଞ ଡ. ଆନ୍ଥୋନୀ ଫାଉସି କହିଛନ୍ତି ପରୀକ୍ଷାମୂଳକ ଭାବେ ଟୀକାର ପରୀକ୍ଷଣର ଆବଶ୍ୟକତା ରହିଛି। ଏହାପରେ ଏହାକୁ ମନୁଷ୍ୟ ଶରୀରରେ ପ୍ରୟୋଗ କରାଯିବ। ଟ୍ରମ୍ପ୍‌ ଏବଂ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମନ୍ତବ୍ୟ ମଧ୍ୟରେ ପ୍ରତିଷେଧକ ଟୀକା ପ୍ରସ୍ତୁତି ନେଇ ପାର୍ଥକ୍ୟ ରହୁଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ଚିନ୍ତା ବଢୁଥିବା କୁହାଯାଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share