ଲକ୍ଷ୍ନୌ ସଦର ବଜାରରେ କଡ଼ା କାର୍ଯ୍ୟାନୁଷ୍ଠାନ: ହୋମ୍‌ କ୍ୱାରାଣ୍ଟାଇନ୍‌ରେ ୭ହଜାର ଲୋକ

ଲକ୍ଷ୍ନୌ,୧୬।୪: ଦେଶରେ କରୋନା ଭାଇରସ୍‌ ତୀବ୍ରଗତିରେ ବ୍ୟାପୁଥିବା ବେଳେ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। କରୋନାକୁ ରୋକିବା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ହେଲେ ଏହାକୁ କେତେକ ଲୋକ ମାନୁ ନାହାନ୍ତି। ଫଳରେ ସଂକ୍ରମିତଙ୍କ ସଂଖ୍ୟା ଥମିବାର ନା ନେଉନି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଲକ୍ଷ୍ନୌର ସଦର ବଜାରରେ ଲକ୍‌ଡାଉନ୍‌କୁ କଡ଼ାକଡ଼ି କରାଯାଇଛି। କାରଣ ଲକ୍ଷ୍ନୌର ସଦର ବଜାର ଏବେ ଉତ୍ତରପ୍ରଦେଶର ସର୍ବାଧିକ ସଂକ୍ରମିତ ଅଞ୍ଚଳ ଭାବେ ପରିଣତ ହୋଇଛି। ଲକ୍‌ଡାଉନ୍‌ ଜାରି ରହିବା ସତ୍ତ୍ୱେ ମଧ୍ୟ ଏଠାରେ ୬୦ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଏହି ଅଞ୍ଚଳର ଲୋକମାନେ ନା ଲକ୍‌ଡାଉନ୍‌କୁ ମାନୁଛନ୍ତି ନା ସିଲ୍‌କୁ। ଏଭଳି ଅବହେଳା ଯୋଗୁ ପ୍ରଶାସନ ପକ୍ଷରୁ ଉକ୍ତ ଅଞ୍ଚଳର ୭ହଜାର ଲୋକଙ୍କୁ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରଖାଯାଇଛି। ଏଥିସହ ବ୍ୟାରିକେଡ ସଂଖ୍ୟାକୁ ମଧ୍ୟ ବଢ଼ାଇ ଦିଆଯାଇଛି ବୋଲି ପୋଲିସ ଅଧିକାରୀ କହିଛନ୍ତି। ସୂଚନା ମୁତାବକ ଉତ୍ତରପ୍ରଦେଶରେ ଏପର୍ଯ୍ୟନ୍ତ ୭୦୦ରୁ ଊର୍ଦ୍ଧ୍ୱ ଲୋକ ସଂକ୍ରମିତ ହୋଇସାରିଛନ୍ତି।

Share