Categories: ରାଜ୍ୟ

ଲକ୍ଷ୍ମୀନାରାୟଣ ଭେଟ: ଜଗନ୍ନାଥ ମନ୍ଦିର ନିକଟରେ ପହଞ୍ଚିଲା ନନ୍ଦିଘୋଷ ରଥ

ରଣପୁର,୧୬ା୭ (ସ୍ବ.ପ୍ର.): ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ରଣପୁର ବାହୁଡା ଯାତ୍ରାର ୩ଦିନ ପରେ ସୋମବାର ଶ୍ରଦ୍ଧାଳୁମାନେ ନନ୍ଦିଘୋଷ ରଥ ଟାଣିଥିଲେ । ବାଟରେ ଲକ୍ଷ୍ମୀ ନାରାୟଣ ଭେଟ ପରେ ନନ୍ଦିଘୋଷ ରଥ ଜଗନ୍ନାଥ ମନ୍ଦିର ନିକଟରେ ପହଞ୍ଚାଇ ଦେଇଥିଲେ। ଶନିବାର ତାଳଧ୍ୱଜ ରଥକୁ ଭକ୍ତମାନେ ଟାଣିନେଇ ସିଂହଦ୍ୱାର ନିକଟରେ ପହଞ୍ଚାଇଥିଲେ। ଏହା ପରେ ସୁଭଦ୍ରାଙ୍କ ଦେବଦଳନ ରଥକୁ ମହିଳାମାନେ ଟାଣିଥିଲେ। ରାତ୍ର ହୋଇଯିବାରୁ ନନ୍ଦିଘୋଷ ରଥ ଟଣା ହୋଇପାରି ନ ଥିଲା ।ରବିବାର ଅପରାହ୍ନ ୨ଟାରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଭକ୍ତମାନେ ଟାଣିନେଉଥିଲା ବେଳେ ମାଉସୀ ମା’ ମନ୍ଦିରଠାରୁ ମାତ୍ର ୩ଶହ ମିଟର ଦୂରରେ ରଥର ଅଖ ଭାଙ୍ଗିଯାଇଥିଲା । ରାତିରେ ମହାରଣାମାନେ ଲାଗିପଡି ଅଖ ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ କରିଥିଲେ। ସୋମବାର ଅପରାହ୍ନ ସାଢେ ତିନିଟାରେ ରଥଟଣା ଆରମ୍ଭ ହୋଇଥିଲା। ଜଗନ୍ନାଥ ମନ୍ଦିର ନିକଟରେ ନନ୍ଦିଘୋଷ ରଥ ପହଞ୍ଚିବା ପରେ ଅଭିମାନିନୀ ମା’ ଲକ୍ଷ୍ମୀ ଶ୍ରୀମନ୍ଦିରରୁ ସୁସଜ୍ଜିତ ଦୋଳ ବିମାନରେ ଆସି ରଥ ନିକଟରେ ପହଞ୍ଚିଥିଲେ। ସେଠାରେ ଲକ୍ଷ୍ମୀ ନାରାୟଣ ଭେଟ କରାଯାଇଥିଲା । ରଥରେ ବିରାଜମାନ ମହାପ୍ରଭୁ ଜଗନ୍ନାଥଙ୍କ ସହିତ ମା’ଲକ୍ଷ୍ମୀଙ୍କ ଏହି ଭେଟକୁ ଦେଖି ଉପସ୍ଥିତ ଭକ୍ତମାନେ ବିମୋହିତ ହୋଇପଡିଥିଲେ। ସ୍ଥାନୀୟ ପ୍ରଶାସନ ଓ ପୋଲିସ ସହଯୋଗରେ ଶୃଙ୍ଖଳାର ସହ ସମସ୍ତ କାର୍ଯ୍ୟ ସମାପନ ହୋଇଥିଲା।

Share