Categories: ଗଞ୍ଜାମ

ଲକ୍ଷ୍ମୀ ନୃସିଂହ ଯାତ୍ରା ଉଦଯାପିତ

ହିଞ୍ଜିଳିକାଟୁ,୧୯।୫(ଡି.ଏନ୍‌.ଏ.)- ଚଳିତବର୍ଷ ହିଞ୍ଜିଳିକାଟୁ ଶ୍ରୀ ଲକ୍ଷ୍ମୀ ନୃସିଂହ ଯାତ୍ରା ରବିବାର ଉଦ୍‌ଯାପିତ ହୋଇଛି। ଶେଷ ୨ଦିନ ଯାତ୍ରାରେ ବିଭିନ୍ନ ମେଢ଼, ପଟୁଆର ଓ ଆତସବାଜି ପ୍ରଦର୍ଶନ ଦେଖିବାକୁ ଦର୍ଶକଙ୍କ ଭିଡ଼ ଜମିଥିଲା। ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ବହୁ ମାନସିକଧାରୀ ବିଭିନ୍ନ ବେଶ ଧାରଣ କରି ସହର ପରିକ୍ରମା କରିଥିଲେ। ବାଘ, ଡ଼ାହାଣୀ, ରାମ, କୃଷ୍ଣ, ହନୁମାନ, ବାବାଜୀ ଇତ୍ୟାଦି ବେଶ ସହ ବିଭିନ୍ନ ସାହିର ଯୁବ ଗୋଷ୍ଠୀ ଆଧୁନିକ ଗଣବେଶରେ ଡ଼ିଜେ ଓ ସଙ୍ଗୀତର ତାଳେ ତାଳେ ସହର ପରିକ୍ରମା କରିଥିଲେ। ସୋମବାର ରଙ୍ଗଣୀ ବାଡ଼ ପକ୍ଷରୁ ଯାତ୍ରା ପରିଚାଳନା କରାଯାଇଥିଲା। ରବିବାର ଉଦ୍‌ଯାପନୀ ସନ୍ଧ୍ୟାରେ ବିଭିନ୍ନ ସାହିରେ ମେଢ଼ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ବହୁ ଦର୍ଶକଙ୍କ ଗହଳି ହୋଇଥିଲା। ପୋଲିସ ସୁରକ୍ଷା ବାହିନୀ ସହ ବିଭିନ୍ନ ସାହିର ସ୍ବେଚ୍ଛାସେବୀ ଦର୍ଶକଙ୍କ ସୁବିଧା ପାଇଁ ନିୟୋଜିତ ଥିଲେ। ରାଜାସାହି ଇନ୍ଦ୍ରଜିତ, ଦେଓସାହି ବୀର ଅର୍ଜୁନ, ବଡ଼ ରଙ୍ଗଣୀ ସାହିର ଶ୍ରୀରାମ, ଲକ୍ଷ୍ମଣ, ଜଗନ୍ନାଥ , ଶ୍ରୀକୃଷ୍ଣଙ୍କ ରାସଲୀଲା ଥାନା ସାହିର ରାଜା ହରିଶ୍ଚନ୍ଦ୍ର ପର୍ଶୁରାମ ଏବଂ କେଉଟ ସାହିରେ ବିଷ୍ଣୁଙ୍କ ଅନନ୍ତ ଶୟନ, ଗରୁଡ଼ ବିଷ୍ଣୁ ମେଢ଼ ଦର୍ଶକଙ୍କ ମନ ମୋହିଥିଲା। ରାତିରେ ସ୍ବତନ୍ତ୍ର ବିମାନରେ ପଟୁଆର ସଂକୀର୍ତ୍ତନରେ ଶ୍ରୀ ଲକ୍ଷ୍ମୀ ନୃସିଂହଙ୍କ ବିଗ୍ରହକୁ ସହର ପରିକ୍ରମା କରାଯାଇଥିଲା। ପରେ ରାଜବାଟୀ ସମ୍ମୁଖ ବାଣ ପଡିଆରେ ବିଭିନ୍ନ କିସମର ଆତସବାଜି ପ୍ରଦର୍ଶନ ହୋଇଥିଲା। ଏହାକୁ ଦେଖିବାକୁ ବହୁ ଲୋକଙ୍କ ଗହଳି ଲାଗି ରହିଥିଲା। ବିଭିନ୍ନ ସାହିରେ ଯୁବ ଗୋଷ୍ଠୀଙ୍କ ପକ୍ଷରୁ ଯାତ୍ରା ଦର୍ଶକଙ୍କୁ ସରବତ, ପଲଉ, ଦହିବରା, ଆଇସ୍‌କ୍ରିମ, ଶୁଖିଲା ଭୋଗ ବଣ୍ଟନ କରାଯାଇଥିଲା। ଶାନ୍ତିଶୃଙ୍ଖଳା ପାଇଁ ପୋଲିସ ଓ ସ୍ବେଚ୍ଛାସେବୀଙ୍କ ପକ୍ଷରୁ ପରିଚାଳନାରେ ସହଯୋଗ କରାଯାଇଥିଲା।