ଲକ୍ଷ୍ୟଭ୍ରଷ୍ଟ ବିରୋଧୀ: ମନ୍ତ୍ରୀ, ବିଧାୟକଙ୍କ ଅନୁପସ୍ଥିତିକୁ ନେଇ ବିଧାନସଭାରେ ହଙ୍ଗାମା

ଭୁବନେଶ୍ୱର,୧୭।୭(ବ୍ୟୁରୋ): ୧୬ଶ ବିଧାନସଭାରେ ବିରୋଧୀ ଲକ୍ଷ୍ୟଭ୍ରଷ୍ଟ ହୋଇଛନ୍ତି। ଲୋକମାନଙ୍କ ସମସ୍ୟାକୁ ଉତ୍ଥାପନ କରିବା ବଦଳରେ ଉଭୟ ଭାଜପା ଓ କଂଗ୍ରେସ ପରସ୍ପର ଗୋହି ଖୋଳାଖୋଳି ହେଉଛନ୍ତି। ଚଳିତ ବିଧାନସଭାରେ ଭାଜପାକୁ ମୁଖ୍ୟ ବିରୋଧୀ ଦଳ ମାନ୍ୟତା ମିଳିଛି। କଂଗ୍ରେସ ତୃତୀୟ ସ୍ଥାନକୁ ଖସିଆସିଛି। ପଞ୍ଚଦଶ ବିଧାନସଭାରେ କଂଗ୍ରେସ ମୁଖ୍ୟ ବିରୋଧୀ ଦଳ ଥିଲା। ଉଭୟ ଦଳ ମିଳିମିଶି ରାଜ୍ୟ ସ୍ବାର୍ଥ ପ୍ରସଙ୍ଗକୁ ଗୃହରେ ଉଠାଉଥିଲେ। ମାତ୍ର ଚଳିତ ଅଧିବେଶନରେ ଦୁଇ ବିରୋଧୀ ଦଳ ଦୁଇଫାଳ ହୋଇଯାଇଛନ୍ତି। କାହା ସହ କାହାର ତାଳମେଳ ନାହିଁ। ବିଧାନସଭାରେ ବିରୋଧୀ ଦଳ ସତେଯେମିତି ଦିଗହରା ହୋଇଯାଇଛନ୍ତି। ଭାଜପା ଓ କଂଗ୍ରେସ ଭିନ୍ନ ଭିନ୍ନ ପ୍ରସଙ୍ଗ ଉଠାଇ ଗୃହରେ ହଟ୍ଟଗୋଳ କରୁଛନ୍ତି। ଗୋଟିଏ ଦଳ ଅନ୍ୟ ଦଳକୁ ବିରୋଧ କଲା ଭଳି ପ୍ରତ୍ୟୟମାନ ହେଉଛି। ସରକାରଙ୍କୁ ଘେରିବା ପରିବର୍ତ୍ତେ ଉଭୟ ନିଜ ମଧ୍ୟରେ ଗଣ୍ଡଗୋଳରେ ମାତି ରହୁଛନ୍ତି। ଦୁଇ ଦଳଙ୍କ ଦିଶାହୀନ ପ୍ରତିବାଦ ଏବଂ ନାରାବାଜିରେ ବରବାଦ ହୋଇଯାଉଛି ଗୃହକାର୍ଯ୍ୟ। ଗତ ଦୁଇଦିନ ଧରି ଉଭୟ ଦଳର ଏତାଦୃଶ ଆଚରଣ ପାଇଁ ଶୂନ୍ୟକାଳ ନଷ୍ଟଭ୍ରଷ୍ଟ ହୋଇଯାଇଛି। ବୁଧବାର ମଧ୍ୟ ଅନୁରୂପ ଅବସ୍ଥା ଗୃହରେ ଦେଖିବାକୁ ମିଳିଥିଲା। ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଗୃହରେ ଶେଷ ହେବା ପରେ ଉଭୟ ଦଳ ଚାଷୀ ପ୍ରସଙ୍ଗ ଓ ମନ୍ତ୍ରୀ ଏବଂ ବିଧାୟକଙ୍କ ଅନୁପସ୍ଥିତିକୁ ନେଇ ସରକାରଙ୍କୁ ଘେରିଥିଲେ। ନିଜ ନିଜ ପ୍ରସଙ୍ଗକୁ ଆଗକୁ ନେବା ଲାଗି ଉଭୟ ଭାଜପା ଓ କଂଗ୍ରେସ ମଧ୍ୟରେ ଜୋର୍‌ଦାର ପ୍ରତିଯୋଗିତା ହୋଇଥିଲା। ଉଭୟ ଦଳ ଗୃହର ମଧ୍ୟଭାଗରେ ହୋ-ହଲ୍ଲା କରିଥିଲେ। ଫଳରେ ଶୂନ୍ୟକାଳରେ କୌଣସି ଆଲୋଚନା ସମ୍ଭବ ହୋଇ ନ ଥିଲା।

Share