Categories: ବାଣିଜ୍ୟ

ଲକ୍ଷ୍ୟ ୫ ଲକ୍ଷ କୋଟି ଡଲାର ଅର୍ଥନୀତି;୬ ଜଣିଆ ଟାସ୍କଫୋର୍ସ ଗଠନ କଲେ ସୀତାରାମନ୍‌

ନୂଆଦିଲ୍ଲୀ,୮-୯: ମୋଦି ସରକାର ୨୦୨୪-୨୫ ସୁଦ୍ଧା ଦେଶର ଅର୍ଥନୀତିକୁ ୫ ଲକ୍ଷ କୋଟି ଡଲାରରେ ପହଞ୍ଚାଇବା ଲାଗି ଯୋଜନା ପ୍ରସ୍ତୁତ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ୧୦୦ ଲକ୍ଷ କୋଟି ଟଙ୍କାର ଭିତ୍ତିଭୂମି ନିର୍ମାଣ ଲାଗି ପ୍ରକଳ୍ପ ଚୟନ କରାଯିବ। ଏଥିଲାଗି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଏକ ୬ ଜଣିଆ ଟାସ୍କଫୋର୍ସ ଗଠନ କରିଛନ୍ତି। ଅର୍ଥ ସଚିବଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି। ଏଥିରେ କୁହାଯାଇଛି ଯେ, ଏହି ଟାସ୍କଫୋର୍ସ ୧୦୦ ଲକ୍ଷ କୋଟିର ନ୍ୟାଶନାଲ ଭିତ୍ତିଭୂମି ଯୋଜନା ପ୍ରସ୍ତୁତ କରି ପ୍ରକଳ୍ପ ଚୟନ କରିବ। ଏଥିରେ ନୂଆ ପ୍ରକଳ୍ପ ସହିତ ପୁରୁଣାର ବିସ୍ତାର କରାଯିବ। ଏହି ଟାସ୍କଫୋର୍ସରେ ବିଭିନ୍ନ ମନ୍ତ୍ରଣାଳୟର ସଚିବ, ଅନ୍ୟ ବରିଷ୍ଠ ଅଧିକାରୀ ତଥା ନୀତି ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ସାମିଲ କରାଯାଇଛି। ପ୍ରକଳ୍ପ ଚୟନ ବେଳେ ୨୦୧୯-୨୦ ଆର୍ଥିକ ବର୍ଷରେ ଆରମ୍ଭ କରାଯିବାକୁ ଥିବା ପ୍ରକଳ୍ପଗୁଡ଼ିକୁ ଟାସ୍କଫୋର୍ସ ପ୍ରାଥମିକତା ଦେବ।

Share