Categories: ବାଣିଜ୍ୟ

ଲକ୍‌ଡାଉନରୁ କୃଷି ଆନୁଷଙ୍ଗିକ କ୍ଷେତ୍ର ବାଦ୍‌

ନୂଆଦିଲ୍ଲୀ ୨୮। ୩: କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ର କାର୍ଯ୍ୟକଳାପକୁ ଲକ୍‌ଡାଉନରୁ ବାଦ୍‌ ଦିଆଯାଇଛି। ରବି ଫସଲ ଅମଳକୁ ଠିକ୍‌ ଭାବେ ପରିଚାଳନା କରାଇବା ଲାଗି ସରକାର ଏଭଳି ନିଷ୍ପତ୍ତି ନେଇଥିବା କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଶନିବାର ସୂଚନା ଦେଇଛନ୍ତି। ଏଭଳି ପଦକ୍ଷେପ ଦ୍ୱାରା ଦେଶର ଖାଦ୍ୟ ନିରାପତ୍ତା ବଜାୟ ରଖାଯାଇ ପାରିବ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି। ଲକ୍‌ଡାଉନ ଯୋଗୁ କୃଷକମାନେ ଯେଭଳି କୌଣସି ସମସ୍ୟା ସାମ୍ନା ନ କରନ୍ତି ତାକୁ ଧ୍ୟାନରେ ରଖାଯାଇଛି। ସରକାରଙ୍କ ନିର୍ଦ୍ଦେଶକୁ ବିଭିନ୍ନ ମନ୍ତ୍ରଣାଳୟ ଏବଂ ରାଜ୍ୟଗୁଡିକ ଠିକ୍‌ ଭାବେ ପାଳନ କରିବା ଲାଗି କୁହାଯାଇଛି। କୃଷକ ଏବଂ ଫାର୍ମ ଅର୍ଗାନାଇଜେଶନଗୁଡିକର ଦାବି ଆଧାରରେ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଥିବା ତୋମାର କହିଛନ୍ତି। କୃଷି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକ, କଷ୍ଟମ ହାୟାରିଂ ସେଣ୍ଟର, କୃଷି ଉତ୍ପାଦନକାରୀ, ମଣ୍ଡି, ପ୍ରକ୍ୱୋରମେଣ୍ଟ ଏଜେନ୍ସିଗୁଡିକ ଲକ୍‌ଡାଉନ ପରିସରରୁ ବାହାରେ ଅଛନ୍ତି। ସେହିଭଳି ସାର ଦୋକାନଗୁଡିକ ଖୋଲିବା ଲାଗି କୁହାଯାଇଛି। ଏହାବାଦ ବର୍ତ୍ତମାନ ସାର, କୀଟନାଶକ ଉତ୍ପାଦନ ପାଇଁ ଅନୁମତି ପ୍ରଦାନ କରାଯାଇଛି। କୃଷି କାର୍ଯ୍ୟ ଲାଗି ଫାର୍ମ ଯନ୍ତ୍ରାଂଶ ନେବା ଆଣିବା ଉପରେ ମଧ୍ୟ କଟକଣା ଲାଗିବ ନାହିଁ ବୋଲି ନିୟମ ରହିଛି।

Share